ରେଙ୍ଗାଲି: ସରକାର ଅସହାୟ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ପେନସନ୍ ଯୋଜନା ମାଧ୍ୟମରେ ପ୍ରତି ମାସ ଭତ୍ତା ଯେଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପ୍ରଥମେ ଏହି ପେନସନ୍ ପଞ୍ଚାୟତ ମାଧ୍ୟମରେ ହିତାଧିକାରୀଙ୍କ ହାତରେ ଦିଆଯାଉଥିଲା। କିନ୍ତୁ ଗତ କିଛି ମାସ ହେଲା ଅନଲାଇନ୍ ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ୍ ପାସବୁକରେ ପେନସନ୍ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ଭତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ପରେ ଅନେକ ହିତାଧିକାରୀ ନିୟମିତ ଭତ୍ତା ପାଉନାହାନ୍ତି ବୋଲି ଅଭିଯୋଗ ହେଉଛି। ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ଗ୍ରାମ ଈଶ୍ୱର ମାଝି ନାମକ ଜନୈକ ବୃଦ୍ଧ ଗତ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ୩ ମାସର ଭତ୍ତା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।
ପଞ୍ଚାୟତରୁ ପ୍ରତିମାସ ଭତ୍ତା ମିଳୁଥିଲା। ଅନଲାଇନ୍ ବ୍ୟବସ୍ଥା ହେଲା ଦିନ ଠାରୁ ଏଭଳି ବ୍ୟତିକ୍ରମ ହେଉଛି ବୋଲି ଶ୍ରୀ ମାଝି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୂଚିତ ଯେ ଈଶ୍ୱର ମାଝିଙ୍କ ଭଳି ଏହି ବ୍ଲକର ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଥପାପାଲି ଗ୍ରାମ ସୁମିତ୍ରା ମିର୍ଦ୍ଧା ନାମ୍ନୀ ଜନୈକ ଦୃଷ୍ଟି ବାଧିତ ମହିଳାଙ୍କ ୬ ମାସର ଭତ୍ତା କୁଆଡେ ଗାଏବ୍ ହୋଇ ଯାଇଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଛି।



