ରେଢ଼ାଖୋଲ: ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପଠାରେ ପାଉଁଶ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର ହୋଇଥିବାବେଳେ ଏକ ଗୋରୁର ମୃତ୍ୟୁ ଘଟିଛି। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ରେଢ଼ାଖୋଲ ଜନସାଧାରଣଙ୍କ ପକ୍ଷରୁ ରେଢ଼ାଖୋଲ ସହର ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ଦୀର୍ଘ ଏକ ଘଣ୍ଟାଧରି ରାଜପଥରେ ଯାତାୟତ ସମୂର୍ଣ୍ଣ ଠପ୍ ହେବାସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା।
ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଏକ ଗାଡି ପାଉଁଶ ବୋଝେଇ କରି ରେଢ଼ାଖୋଲ ଆସୁଥିଲା। ଏହି ସମୟରେ ସହରର ପୁରୁଣା ପେଟ୍ରୋଲ ପମ୍ପ ନିକଟ ୫୫ନଂ ଜାତୀୟ ରାଜପଥରେ ଏକ ଗୋରୁକୁ ଧକ୍କା ଦେଇ ରାଜପଥ କଡ଼ରେ ଠିଆ ହୋଇଥିବା ଏମଡି ଆରୁନ ଆନସାରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋରୁଟିର ମୃତ୍ୟୁ ହୋଇଥିବାବେଳେ ଆରୁନ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତେବେ ଗାଡିଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବାବେଳେ ସହରବାସୀ ଭୀମଭୋଇ ଛକରେ ଗାଡିକୁ ଅଟକାଇଥିଲେ। ଏହାପରେ ୫୫ନଂ ଜାତୀୟ ରାଜପଥ ଅବରୋଧ କରି ରାସ୍ତାରେ ପାଉଁଶ ବୋଝେଇ ଗାଡି ଚଳାଚଳ ବନ୍ଦ କରିବା ଦାବିରେ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।



