କୋଚି : ନନ୍ଙ୍କ ବଳାତ୍କାର ମାମଲାରେ ଗିରଫ ଜଳନ୍ଧର ବିଶପ୍ ଫ୍ରାଙ୍କୋ ମୁଲାକାଲଙ୍କୁ ଆକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁଲାକାଲଙ୍କ ଦୁଇଦିନିଆ ହଜାତ ମିଆଦ ସୋମବାର ଶେଷ ହେବା ପରେ ତାଙ୍କୁ କୋଟ୍ଟାୟମ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ୍ ତାଙ୍କୁ ୧୨ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ। ରବିବାର ବିଶପ୍ଙ୍କୁ କୁରାବିଲଙ୍ଗଡ଼ସ୍ଥିତ ସେଣ୍ଟ ଫ୍ରାନ୍ସିସ୍ ମିଶନ ହୋମ୍କୁ ନିଆଯାଇଥିଲା। ଏଠାକାର ଅତିଥି ଭବନରେ ସେ ଅଭିଯୋଗକାରିଣୀ ନନ୍ଙ୍କୁ ୨୦୧୪ରୁ ୨୦୧୬ ମଧ୍ୟରେ ୧୩ଥର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।
ଅପରପକ୍ଷରେ ଅଭିଯୋଗକାରିଣୀ କେରଳୀ ନନ୍ଙ୍କ ଭଉଣୀ ତାଙ୍କ ପରିବାରକୁ ହତ୍ୟା ଦମକ ଦିଆଯାଉଥିବା ସମ୍ପର୍କରେ ପୁଲିସକୁ ଅବଗତ କରିଛନ୍ତି। ଥୋମାସ ଚତୁପରମ୍ବନ୍ ଓ ଉନି ନାମକ ବିଶପ୍ଙ୍କ ଦୁଇ ଜଣ ସମ୍ପର୍କୀୟ ତାଙ୍କ ପୁଅ ଓ ଭାଇଙ୍କୁ ଧମକ ଚମକ ଦେଉଥିବା ନନ୍ଙ୍କ ଭଉଣୀ ଅଭିଯୋଗରେ ଦର୍ଶାଇଛନ୍ତି। ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ପୁଲିସକୁ ନିବେଦନ କରିଛନ୍ତି।
ଅନ୍ୟ ଏକ ଘଟଣାକ୍ରମେ ଚର୍ଚ୍ଚ କର୍ତ୍ତୃପକ୍ଷ ଗତ ୧୩ଦିନ ଧରି ବିଶପ୍ଙ୍କ ଗିରଫ ଦାବିରେ କେରଳ ହାଇକୋର୍ଟ ସମ୍ମୁଖରେ ଆନ୍ଦୋଳନ ଚଳାଇଥିବା ୫ଜଣ ନନ୍ଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ସୋମବାର ପ୍ରତ୍ୟାହାର କରିନେଇଛନ୍ତି। ଏହି ନନ୍ମାନଙ୍କୁ ଚର୍ଚ୍ଚ ପକ୍ଷରୁ ସେମାନଙ୍କ କାର୍ଯ୍ୟରୁ ଅନ୍ତର କରାଯାଇଥିବା ନେଇ ସିଷ୍ଟର ଲୁସୀ ରବିବାର ଅଭିଯୋଗ କରିଥିଲେ। ଆନ୍ଦୋଳନକାରୀ ନନ୍ଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସେ ଦର୍ଶାଇଥିଲେ।
ଅଭିଯୋଗକାରିଣୀ କେରଳୀ ନନ୍ଙ୍କ ପରିବାରକୁ ହତ୍ୟା ଧମକ ଦେଲେ ବିଶପଙ୍କ ସମ୍ପର୍କୀୟ
Popular Categories



