କୃଷିମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ

ଗୁରୁଡିଝାଟିଆ : ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କୁ ସଶକ୍ତ ଓ ଆଗକୁ ନେବା ପାଇଁ କାଳିଆ ଯୋଜନାର ସୃଷ୍ଟି। ଏହି ଯୋଜନା ଦ୍ୱାରା କୃଷକମାନେ କେତେକ ସ୍ଥଳେ କୃଷିକାର୍ଯ୍ୟ ପାଇଁ ସରକାରଙ୍କ ପ୍ରଦତ୍ତ ଆର୍ଥିକ ରାଶିଦ୍ୱାରା ଉପକୃତ ହୋଇଥାନ୍ତି। କିନ୍ତୁ ପ୍ରକୃତରେ ଅନେକ କୃଷକ ଯେଉଁମାନଙ୍କ କୃଷି ହେଉଛି ପ୍ରଧାନ ବୃତ୍ତି ଏବଂ କୃଷି ଉପରେ ସେମାନଙ୍କ ପରିବାର ନିର୍ଭରଶୀଳ । ଖରିଫ ଓ ରବି ଫସଲ ଚାଷ ନକଲେ ପରିବାର ପେଟକୁ ଦାନା ଯାଏନି। ସେହିଭଳି କୃଷକ କାଳିଆ ଯୋଜନା ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ଥିଲେ ମଧ୍ୟ ଏଥିରୁ ପାଇବାକୁ ବଞ୍ଚିତ ହେଉଛନ୍ତି। ଏହାପୁଣି ଖୋଦ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ବାଚନ ମଣ୍ଡଳୀରେ। ଅପରପକ୍ଷରେ ଯୋଜନା ପରେ ଯୋଜନା ଘୋଷଣା ଚାଲିଛି । କୃଷି ଓ କୃଷକର ଉନ୍ନତି ପାଇଁ କାହିଁକି ପ୍ରକୃତ ଚାଷୀଟି ସରକାରଙ୍କ କାଳିଆ ଯୋଜନାରୁ ବଞ୍ଚିତ ହୋଇଛି ତାହାର ସମାଧାନ କରିବା ପାଇଁ ନା କୃଷି ବିଭାଗ ଅଧିକାରୀ ନା କୃଷିମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଛି । ଏ ସମସ୍ତ ତଥ୍ୟ ପ୍ରତି ପଞ୍ଚାୟତରେ ଥିବା କୃଷକ ସାଥି ଓ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କୃଷି କର୍ମଚାରୀଙ୍କ ନିକଟରେ ଉପଲବ୍ଧ। ରାଜ୍ୟ ସରକାର ଜନସଂପର୍କ ପଦଯାତ୍ରା ମାଧ୍ୟମରେ ସରକାରଙ୍କ ଲୋକାଭିମୁଖି ଯୋଜନାର ପ୍ରକୃତ ସୁବିଧା ଯୋଗ୍ୟ ହିତାଧିକାରୀ ପାଉଛନ୍ତି ନା ନାହିଁ ତାହାକୁ ତଦାରଖ କରି ସେମାନଙ୍କ ନିକଟରେ ପହଞ୍ଚାଇବାର ମୂଳଲକ୍ଷ୍ୟ ହୋଇଥିଲେ ମଧ୍ୟ ତାହା ଗ୍ରାମାଞ୍ଚଳରେ କେବଳ ଏକ ପ୍ରହସନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରୁ ସ୍ପଷ୍ଟ ବାରିହୋଇପଡେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନସଂପର୍କ ପଦଯାତ୍ରାରେ ଦଳୀୟ କର୍ମକର୍ତ୍ତାମାନେ କିଭଳି ଯୋଜନାର ସଫଳତାର ଗାଥା ଓ ପ୍ରକୃତ ହିତାଧିକାରୀ କେତେ ସୁବିଧା ପାଇପାରୁଛନ୍ତି ? ଖୋଦ୍ କୃଷିମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ଶହଶହ ସଂଖ୍ୟାରେ ପ୍ରକୃତ କୃଷକ କାଳିଆ ଯୋଜନାରୁ ବଞ୍ଚିତ ତାହା ଅନୁଧ୍ୟାନ କଲେ ସ୍ପଷ୍ଟ ବାରି ହୋଇପଡିବ । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଓ ଦକ୍ଷ ମନ୍ତ୍ରୀ ହିସାବରେ କୃଷିମନ୍ତ୍ରୀଙ୍କ ସ୍ୱତନ୍ତ୍ର ପଦ ମର୍ଯ୍ୟାଦା ରହିଛି। ସେ କେବେ ଅନୁଧ୍ୟାନ କରିଛନ୍ତି କି? ରାଜ୍ୟରେ ବାସ୍ତବରେ ପ୍ରକୃତ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଥିବା ପ୍ରକୃତ ହିତାଧିକାରୀ କେଉଁ କାରଣ ପାଇଁ ବଞ୍ଚିତ ହେଉଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି ଆଠଗଡ ନିର୍ବାଚନ ମଣ୍ଡଳୀରୁ ଏହାକୁ ଭଲ ଭାବରେ ଅନୁଧ୍ୟାନ କରି ବ୍ୟବସ୍ଥା କରାଗଲେ ପ୍ରକୃତ ଚାଷୀଟି ସରକାରଙ୍କ ଯୋଜନାରେ ଉପକୃତ ହୋଇପାରିବ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଅପରପକ୍ଷରେ କୃଷକଟିଏ କେତେବେଳେ କୃଷକ ସାଥି, କୃଷି ବିଭାଗର ପଞ୍ଚାୟତସ୍ତରୀୟ କର୍ମଚାରୀ, ବ୍ଲକ  କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେ ମଧ୍ୟକେହି ବୁଝିନାହାନ୍ତି ତା ଦୁଃଖ। ଏଭଳି ଚିତ୍ର କଖଡି ପଞ୍ଚାୟତରେ ଦେଖାଦେଇଛି। କୃଷିମନ୍ତ୍ରୀ ଏହାର ତଦାରଖ କରିବା ପାଇଁ ପଞ୍ଚାୟତର କୃଷିକର୍ମଚାରୀ ଓ କୃଷକ ସାଥିଙ୍କ ଠାରୁ ସମସ୍ତ ତଥ୍ୟ ପାଇପାରିବେ। କାଳିଆ ଯୋଜନାରୁ ବଞ୍ଚିତ ପ୍ରତ୍ୟେକ କୃଷକଙ୍କ ତଥ୍ୟ ପଞ୍ଚାୟତସ୍ତରରୁ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି । କେଉଁ ତୃଟି ଓ ସରକାରଙ୍କ କେଉଁ ବ୍ୟବସ୍ଥା ପାଇଁ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ କାହିଁକି କୃଷକ ବଞ୍ଚିତ ଏହାର ମୂଳକୁ ଯାଇ କୃଷିମନ୍ତ୍ରୀ ଏହାର ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

Comments are closed.