ଡୁ ପ୍ଲେସି, କୋହଲିଙ୍କ ଅର୍ଦ୍ଧଶତକ ପରେ ସିରାଜ୍ଙ୍କୁ ୪ ୱିକେଟ୍ : ପଞ୍ଜାବକୁ ହରାଇଲା ଆର୍ସିବି
ଜୟପୁର : ଗୁରୁବାର ଆଇପିଏଲ୍ର ୨୭ଶ ମ୍ୟାଚ୍ ପରେ ଫାଫ୍ ଡୁ ପ୍ଲେସି କହିଥିଲେ, ଇମ୍ପାକ୍ଟ ଖେଳାଳି ନିୟମ ନଥିଲେ ସେ ଏହି ମ୍ୟାଚ୍ ଖେଳି ନଥାଆନ୍ତେ। କାରଣ ତାଙ୍କ ନିତମ୍ବରେ ଆଘାତ ଲାଗିଥିଲା। ବିରାଟ କୋହଲିଙ୍କୁ ନେତୃତ୍ବ ଦେଇ ଡୁ ପ୍ଲେସି ମ୍ୟାଚ୍ରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳିଥିଲେ। ଡୁ ପ୍ଲେସି ହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବିଜୟରେ ହିରୋ ସାଜିଛନ୍ତି। ଡୁ ପ୍ଲେସି ୮୪ ରନ୍ର ଇନିଂସ ଖେଳିବା ସହ କୋହଲିଙ୍କ ସହ ୧୬ ଓଭର ବ୍ୟାଟିଂ କରିଥିଲେ। ପରେ ମହମ୍ମଦ ସିରାଜ୍ ଚମତ୍କାର ବୋଲିଂକରି ୪ଟି ୱିକେଟ ନେଇଥିଲେ। ଫଳରେ ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୨୪ ରନ୍ରେ ଆର୍ସିବି ପରାସ୍ତ କରିଛି। ପ୍ରଥମ ୬ ଓଭରର ପାୱରପ୍ଲେରେ ଆର୍ସିବି ପ୍ରାଧାନ୍ୟ ବିସ୍ତାର କରିଥିଲା। ବ୍ୟାଟିଂରେ ଏହା ପାୱରପ୍ଲେରେ ୫୯ ରନ୍ କରିଥିବା ବେଳେ ବୋଲିଂରେ ୪ଟି ୱିକେଟ ନେଇ ପାରିଥିଲା। ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆର୍ସିବି ୪ ୱିକେଟରେ ୧୭୪ ରନ୍ କରିଥିଲା। ପରେ ସିରାଜ୍ ୪ଟି ୱିକେଟ ନେବାରୁ ପଞ୍ଜାବ କିଙ୍ଗ୍ସ ୧୮.୨ ଓଭରରେ ୧୫୦ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ୬ଷ୍ଠ ମ୍ୟାଚ୍ରୁ ଆର୍ସିବିର ଏହା ୬ଷ୍ଠ ବିଜୟ। ପଞ୍ଜାବ ୬ଷ୍ଠ ମ୍ୟାଚ୍ରୁ ୩ୟ ପରାଜୟ ଭୋଗିଛି।
ଏହି ପିଚ୍ରେ ୧୭୫ ରନ୍ର ପିଛାକରିବା ପଞ୍ଜାବ କିଙ୍ଗ୍ସ ପାଇଁ ସହଜ ନଥିଲା। ୪୩ ରନ୍ରେ ୪ଟି ୱିକେଟ ହରାଇବା ପରେ ପଞ୍ଜାବ ପାଇଁ ଏହା ଆହୁରି କଷ୍ଟକର ହୋଇ ଯାଇଥିଲା। ପ୍ରଥମ ବଲ୍ରେ ଚୌକା ମାରିବା ପରେ ଅଥର୍ବ ତାଇଡେ ୨ୟ ବଲ୍ରେ ଆଉଟ୍ ହୋଇଥିଲେ। ମାଥ୍ୟୁ ସର୍ଟ ୮ ରନ୍ କରିଥିଲେ। ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ଇଂଲଣ୍ଡର ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୨ ରନ୍ କରି ପାରିଥିଲେ। ହରପ୍ରୀତ ସିଂହ ଭାଟିଆ ୯ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍ କରିଥିଲେ। ଅଧିନାୟକ ସାମ୍ କରନ୍ ୧୦ ରନ୍ କରିଥିଲେ। ୧୨ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ଥିବା ଓପ୍ନର ପ୍ରଭସିମ୍ରନ୍ ସିଂହ ୩୦ ବଲ୍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୬ ରନ୍ କରିଥିଲେ। ଏମ୍. ଶାହ୍ରୁଖ୍ ଖାଁ ୭ ରନ୍ କରିଥିଲେ। ୧୦୬ ରନ୍ରେ ୭ଟି ୱିକେଟ ପଡ଼ିବା ପରେ ଜିତେଶ ଶର୍ମା ଓ ହରପ୍ରୀତ ବ୍ରାର ସଂଘର୍ଷକରି ୪୧ ରନ୍ ଯୋଡ଼ିଥିଲେ। ତେବେ ୧୮ଶ ଓଭରରେ ସିରାଜ୍ ୨ଟି ୱିକେଟ ନେଇ ପଞ୍ଜାବକୁ ରୋକିଥିଲେ। ହରପ୍ରୀତ ୧୩ ରନ୍ କରିଥିଲେ। ଜିତେଶ ୨୭ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୪୧ ରନ୍ କରିଥିଲେ। ସିରାଜ୍ ମାତ୍ର ୨୧ ରନ୍ଦେଇ ୪ଟି ଓ ୱାନିନ୍ଦୁ ହସରଙ୍ଗା ୨ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ପଞ୍ଜାବ ଫିଲ୍ଡିଂ ନେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପ୍ନିଂ ଯୋଡ଼ି ଫାଫ୍ ଡୁ ପ୍ଲେସି ଓ ବିରାଟ କୋହଲି ୧୬ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିଥିଲେ। ପ୍ରଥମ ୬ ଓଭରରୁ ୫୯ ରନ୍ ହୋଇଥିବା ବେଳେ ପରବର୍ତ୍ତୀ ୧୦ ଓଭରରୁ ମାତ୍ର ୭୮ ରନ୍ ହୋଇଥିଲା। ଡୁ ପ୍ଲେସି ଓ କୋହଲି ୧୬ ଓଭରରେ ୧୩୭ ରନ୍ ଯୋଡ଼ିଥିଲେ। ହେଲେ ଶେଷ ୪ ଓଭରରୁ ମାତ୍ର ୩୭ ରନ୍ ହୋଇଥିଲା। କୋହଲି ୪୭ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୯ ରନ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ। ୧୮ଶ ଓଭରରେ ଆଉଟ୍ ହୋଇଥିବା ଡୁ ପ୍ଲେସି ୫୬ ବଲ୍ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୮୪ ରନ୍ କରିଥିଲେ। ଏହାକୁ ମିଶାଇ ୬ଷ୍ଠ ମ୍ୟାଚ୍ରେ ଫାଫ୍ ଡୁ ପ୍ଲେସି ୪ର୍ଥ ଅର୍ଦ୍ଧଶତକ ହାସଲକରି ସର୍ବାଧିକ ୩୪୩ ରନ୍ କରି ଅରେଞ୍ଜ୍ ଟୋପିର ଅଧିକାରୀ ହୋଇଛନ୍ତି। ଦିନେଶ କାର୍ତ୍ତିକ ଓ ମହିପାଳ ଲୋମରୋର ୭ ରନ୍ ଲେଖାଏଁ କରିଥିଲେ। ହରପ୍ରୀତ ବ୍ରାର ୨ଟି ୱିକେଟ ନେଇଥିଲେ।
Comments are closed.