ଗୋପାଳପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର କୃମୀ(ନେମାଟୋଡ଼) ଆଡମିରାଣ୍ଡସ୍ ଓଡ଼ିଶା ଏନସିସ ଚିହ୍ନଟ ହୋଇଛି ।ଭାରତ ବର୍ଷରେ ଏହା ପ୍ରଥମ ଥର ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ବିଶ୍ୱରେ ୩ ଟି ପ୍ରଶାନ୍ତ ମହାସାଗରରୁ ଏବଂ ଗୋଟିଏ ଭାରତ ମହାସାଗର ଓ ଆଫ୍ରିକାରୁ ଦେଖିବାକୁ ମିଳିଥିଲା ।ଏହାକୁ ୨୦୨୩ ନଭେମ୍ବରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ସୁମନ ପାତ୍ର ଏବଂ ଲଭଲି, ପ୍ରଫେସନାଲ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଗବେଷିକା ଅମିତା କୁମାରୀ ଚୌଧୁରୀ ଓଡ଼ିଶାର ଚିଲିକା ନିକଟସ୍ଥ ସାତପଡା ମୁହାଣର ଅନ୍ତଃ ଜୁଆର ଅଞ୍ଚଳରୁ କିଛି ନମୁନା ସଂଗ୍ରହ କରି ଏହାକୁ ମାଇକ୍ରୋସ୍କୋପରେ ଦେଖି ଏଥିରୁ କିଛି କୃମୀ ବାହାର କରିଥିଲେ ।
ଏହାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ପରୀକ୍ଷା ଗାରରେ ସହକାରୀ ପ୍ରଧ୍ୟାପକ ଶେଷଦେବ ପାତ୍ର ଏବଂ ଗବେଷିକା ସୁମନ ପାତ୍ର ଏହା ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ । ପରେ ଏହାର ତଥ୍ୟ ନ୍ୟୁଜିଲାଣ୍ଡର ନିୱା ସଂସ୍ଥାର ମାର୍ଗ ଦର୍ଶକ ଡ଼.ଡେନିଆଲ ଲେଡୁଶ ଙ୍କୁ ପ୍ରଦାନ କରି ପରାମର୍ଶ ନେବା ପରେ ଏହା ଏକ ନୂତନ ପ୍ରଜାତିର କୃମୀବୋଲି ଚିହ୍ନଟ ହେବା ପରେ ଏହାକୁ ଓଡ଼ିଶାରେ ମିଳିଥିବାରୁ ଏହାର ନାମ କରଣ ‘ଆଡମିରାଣ୍ଡସ୍ ଓଡ଼ିଶା ଏନସିସ’ରଖାଗଲା ।ପରେ ଏହି ଗବେଷଣା ସହ ନୂତନ ପ୍ରଜାତି ନେଇ ଜୋନାଲ ଅଫ ନ୍ୟାଚୁରାଲ ହିଷ୍ଟ୍ରୀ (ଲଣ୍ଡନ) ପୁସ୍ତିକାରେ ପ୍ରକାଶିତ ହୋଇଛି ।ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏହି କୃମୀଗୁଡ଼ିକ ଗୋଲାକୃତ କେଞ୍ଚୁଆ ଭଳି ରହିଥିବା ବେଳେ ଏମାନଙ୍କ ମୁଣ୍ଡ ଗୋଲିଆ ରହିଥିବା , ଉପର ମାଢିରେ ଗୋଟିଏ ଦାନ୍ତ ଓ ତଳ ମାଢିରେ ଦୁଇଟି ଦାନ୍ତ ରହିଛି ।ଏହି ଦାନ୍ତ ଗୁଡ଼ିକ ମୁନିଆ ରହିଥାଏ ।ଏମାନେ ସମୁଦ୍ରର ଜୁଆର ଜୋନ ଅଂଚଳରୁ ପଚା ଜୀବକୁ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି ।ଏମାନେ ବିଷାକ୍ତ ନୁହନ୍ତି ।ଏମାନଂକୁ ସମୁଦ୍ରରେ ରହୁଥିବା ମାଛ,କଙ୍କଡ଼ା,ଚିଙ୍ଗୁଡ଼ି ଏବଂ ଛୋଟ ଛୋଟ ମାଛ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରନ୍ତି ।ଏମାନଙ୍କ ରଙ୍ଗ ଫିକା ଧୂସର ଅଟେ ।ଏମାନଙ୍କ ଦ୍ୱାରା ସମୁଦ୍ରରେ ଉର୍ବରତା ବଢ଼ିଥାଏ ।ଏମାନେ ବିଶେଷତଃ ମୁହାଁଣ ଅଞ୍ଚଳରେ ରହିଥାନ୍ତି ।ଏମାନେ ଛୁଆ ଦିଅନ୍ତି ବୋଲି ଗବେଷଣା ରୁ ଜଣା ପଡିଥିଲା। ଏହି ନୂତନ ପ୍ରଜାତି ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ବିଭାଗର ସହକାରୀ ପ୍ରଧ୍ୟାପକ ଶେଷଦେବ ପାତ୍ର ଓ ଗବେଷିକା ସୁମନ ପାତ୍ର ସୂଚନା ଦେଇଛନ୍ତି l



