ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ମୂଷାପଡ଼ା ଅଙ୍ଗନବାଡି କେନ୍ଦ୍ରରେ ନୂତନ ଅଙ୍ଗନବାଡି କର୍ମୀଙ୍କୁ ବେନିୟମ ଭାବେ ନିଯୁକ୍ତି ଦିଆ ଯାଇଥିବାରୁ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି। ସୂଚନା ଅନୁସାରେ ମୂଷା ପଡା ଅଙ୍ଗନବାଡି କର୍ମୀଙ୍କ ଅବସର ପରେ ଗତ ୫/୫/୨୦୨୫ ରେ ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ବିଜ୍ଞାପନ ପ୍ରକାଶ ପାଇବା ପରେ ଏହି ପଦ ପାଇଁ ୯ ଜଣ ପ୍ରାର୍ଥୀନୀ ଆବେଦନ କରିଥିଲେ। ଏଥିରୁ ଯାଞ୍ଚ ପରେ ଆବେଦନ ତାଲିକାରେ ୭ ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ କାହାକୁ ନିଯୁକ୍ତି ଦିଆନଯାଇ ଅଙ୍ଗନବାଡି ସହାୟିକାଙ୍କୁ ବେନିୟମ ଭାବେ ଏହି ପଦରେ ନିଯୁକ୍ତି ଦିଆଯିବାରୁ ଏହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଆଜି ଗ୍ରାମର ବହୁ ମହିଳା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ମାରିଦେବା ପରେ ପାଟଣା ସିଡ଼ିପିଓ କାଯ୍ୟାଳୟକୁ ଆସି ସିଡ଼ିପିଓଙ୍କ ଅଫିସ ଘେରିବା ସହ ପାଟିତୁଣ୍ଡ କରିଛନ୍ତି।
ଅଙ୍ଗନବାଡି ସାହାୟିକାଙ୍କୁ ବିଜ୍ଞାପନ ଅନୁସାରେ ତାଙ୍କର ବୟସ ୧୮ ରୁ ୩୫ ମଧ୍ୟରେ ନଥିଲେ ମଧ୍ୟ କିପରି ନିଯୁକ୍ତି ଦିଆଗଲା ବୋଲି ଅଭିଯୋଗ ଆଣିବା ସହ ତାଙ୍କର ମାଟ୍ରିକ,ଓ +୨ ପ୍ରମାଣପତ୍ର ମାର୍କ ଲିଷ୍ଟ ଯାଞ୍ଚ କରିବାକୁ ଦାବି କରିଛନ୍ତି। ସାହାୟିକାଙ୍କ ପ୍ରମାଣ ପତ୍ର ଜାଲ ଥିବା ଓ ଚଞ୍ଚକତା କରି ଭିତିରି କାରବାର କରାଯାଇ ସିଡ଼ିପିଓ ନିଯୁକ୍ତି ଦେଇଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗ୍ରାମର ମହିଳା ମାନେ ଏହି ନିଯୁକ୍ତିକୁ ବିରୋଧ କରି ଗ୍ରାମର ଅଙ୍ଗନବାଡି କେନ୍ଦ୍ରକୁ ତାଲା ମାରି ରଖିଥିଲେ। ଏହାପରେ ଆଜି ସିଡ଼ିପିଓ କାର୍ଯ୍ୟାଳୟକୁ ଆସି ସିଡ଼ିପିଓଙ୍କୁ ଘେରାଉ କରିବା ସହିତ ତାଙ୍କୁ କାର୍ଯ୍ୟାଳୟରେ ତାଲା ମାରି ବାହାରେ ବସିଥିଲେ। ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ଉପଯୁକ୍ତ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଗ୍ରାମବାସୀ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି।



