www.samajalive.in
Wednesday, December 10, 2025
18.1 C
Bhubaneswar

ରଣଜୀ ଟ୍ରଫି : ରାଞ୍ଚିରେ ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମୁକାବିଲା

କଟକ : ରଣଜୀ ଟ୍ରଫିରେ ଗୁରୁବାରଠାରୁ ରାଞ୍ଚିରେ ଘରୋଇ ଝାଡ଼ଖଣ୍ଡର ମୁକାବିଲା କରିବାକୁ ଯାଉଛି ଓଡ଼ିଶା ଦଳ। ଉଭୟ ଦଳଙ୍କର ଏହା ଏଲିଟ୍‍ ଗ୍ରୁପ୍‍ ‘ସି’ରେ ୫ମ ଲିଗ୍‍ ମ୍ୟାଚ୍‍। ଅଦ୍ୟାବଧି ଉଭୟ ଦଳଙ୍କର ପ୍ରଦର୍ଶନ ପ୍ରାୟ ସମାନ ପ୍ରକାର ରହିଛି। ଉଭୟ ଦଳ ୨ଟି ମ୍ୟାଚ୍‍ ଜିତିଥିବା ବେଳେ ଗୋଟିଏ ହାରିଛନ୍ତି ଓ ଗୋଟିଏ ଡ୍ର ରଖିଛନ୍ତି। ତେବେ ଫରକ ଏହା ଯେ ଝାଡ଼ଖଣ୍ଡ ଡ୍ର ରଖିଥିବା ମ୍ୟାଚ୍‍ରେ ପ୍ରଥମ ଇନିଂସରେ ଆଗୁଆ ରହିଥିଲା। ତେଣୁ ୧୫ ପଏଣ୍ଟ ସହ ଝାଡ଼ଖଣ୍ଡ ୩ୟ ସ୍ଥାନରେ ଥିବା ବେଳେ ୧୩ ପଏଣ୍ଟ ସହ ଓଡ଼ିଶା ୫ମ ସ୍ଥାନରେ ରହିଛି। ତେଣୁ ଏହି ମୁକାବିଲା ଉଭୟ ଦଳଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‍ରେ ଯେଉଁ ଦଳ ଅଧିକ ପଏଣ୍ଟ ପାଇବ; ସେ ହିଁ ଆଗକୁ ଯାଇପାରିବ।
ଓଡ଼ିଶା ଦଳ ଗତ ୨ଟି ମ୍ୟାଚ୍‍ରେ ଦୁଇ ପୂର୍ବାଞ୍ଚଳ ଦଳ ଆସାମ ଓ ତ୍ରିପୁରାକୁ ପରାସ୍ତ କରିଛି। କ୍ରମାଗତ ୩ୟ ମ୍ୟାଚ୍‍ରେ ଅନ୍ୟ ଏକ ପୂର୍ବାଞ୍ଚଳ ଦଳ ଝାଡ଼ଖଣ୍ଡର ମୁକାବିଲା କରିବାକୁ ଯାଉଛି ଓଡ଼ିଶା। ପ୍ରଥମ ମ୍ୟାଚ୍‍ରେ ହରିୟାଣା ସହ ମ୍ୟାଚ୍‍ ଡ୍ର ରଖି ୧ ପଏଣ୍ଟ ପାଇଥିବା ଓଡ଼ିଶା ୨ୟ ମ୍ୟାଚ୍‍ରେ ଘରୋଇ ପଡ଼ିଆରେ ଉତ୍ତର ପ୍ରଦେଶଠାରୁ ପରାସ୍ତ ହୋଇଥିଲା। ପରେ ଓଡ଼ିଶା କ୍ରମାଗତ ୨ଟି ମ୍ୟାଚ୍‍ ଜିତିଛି। ଅନ୍ୟପକ୍ଷରେ ହରିୟାଣା ଓ ଗୋଆ ବିପକ୍ଷରେ ଝାଡ଼ଖଣ୍ଡ ବିଜୟୀ ହୋଇଥିବା ବେଳେ ରାଜସ୍ଥାନଠାରୁ ପରାସ୍ତ ହୋଇଥିଲା। ଆସାମ ବିପକ୍ଷରେ ଝାଡ଼ଖଣ୍ଡ ମ୍ୟାଚ୍‍ ଡ୍ର ରଖିଥିଲା। ଭାରତ ପାଇଁ ଖେଳିଥିବା ଫାଷ୍ଟବୋଲର ବରୁଣ ଆରୋନ୍‍ ଝାଡ଼ଖଣ୍ଡ ବୋଲିଂର ନେତୃତ୍ୱ ନେଉଛନ୍ତି। ଆରୋନ୍‍ ଅଦ୍ୟାବଧି ୧୪ଟି ୱିକେଟ ନେଇ ସାରିଲେଣି। ତାଙ୍କ ସହ ପେସ୍‍ ବୋଲର ଅଜୟ ଯାଦବ ୧୪ଟି ଓ ଆଶିଷ ରାୟ ୧୧ଟି ୱିକେଟ ନେଇଛନ୍ତି। ତେଣୁ ଝାଡ଼ଖଣ୍ଡର ମୁଖ୍ୟ ଶକ୍ତି ହେଉଛି ପେସ୍‍ ଆକ୍ରମଣ। ଶାହ୍‍ବାଜ୍‍ ନଦ୍ଦିମ୍‍ଙ୍କ ଅନୁପସ୍ଥିତିରେ ବାମହାତି ସ୍ପିନର ଅନୁକୂଳ ରାୟ ଅଦ୍ୟାବଧି ଭଲ ପ୍ରଦର୍ଶନ କରିଛନ୍ତି। ଭାରତୀୟ ଜୁନିୟର ଦଳ ପାଇଁ ଖେଳିଥିବା ଅନୁକୂଳ ରାୟ ଚମତ୍କାର ବ୍ୟାଟିଂକରି ୨୪୯ ରନ୍‍ କରିଥିବା ବେଳେ ଅଭିଜ୍ଞ ଖେଳାଳି ଈଶାଙ୍କ ଜାଗି ୨ ଶହରୁ ଅଧିକ ରନ୍‍ କରିଛନ୍ତି। ନଜିମ୍‍ ସିଦ୍ଦିକି ସର୍ବାଧିକ ୨୬୭ ରନ୍‍ କରିଛନ୍ତି। ତେବେ ଭାରତ ପାଇଁ ଖେଳିଥିବା ସୌରଭ ତିୱାରୀ ଫର୍ମରେ ନାହାନ୍ତି। ଅନ୍ୟ ଆନ୍ତର୍ଜାତିକ ଖେଳାଳି ଇଶାନ୍‍ କିଷନ୍‍ ୨ଟି ମ୍ୟାଚ୍‍ ଖେଳିଥିଲେ ହେଁ ଗୋଟିଏ ଶତକ ମାରି ସାରିଛନ୍ତି।
ଓଡ଼ିଶା ପାଇଁ ଶୁଭ୍ରାଂଶୁ ସେନାପତି ୨ଟି ଅର୍ଦ୍ଧଶତକ ସହ ସର୍ବାଧିକ ୩୨୦ ରନ୍‍ କରିଥିବା ବେଳେ ଅଧିନାୟକ ବିପ୍ଳବ ସାମନ୍ତରାୟ ଓ ଓପ୍‍ନର ଅନୁରାଗ ଷଡ଼ଙ୍ଗୀ ୨ ଶହରୁ ଅଧିକ ରନ୍‍ କରିଛନ୍ତି। ତେବେ ଓଡ଼ିଶାକୁ ଚିନ୍ତାରେ ପକାଇଛି ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ବ୍ୟାଟିଂ ଫର୍ମ। ପୋଦ୍ଦାର ୪ଟି ମ୍ୟାଚ୍‍ରୁ ମୋଟ ୧୧୫ ରନ୍‍ କରିଛନ୍ତି। ତାଙ୍କଠାରୁ ଏହି ମ୍ୟାଚ୍‍ରେ ଓଡ଼ିଶା ବଡ଼ ସ୍କୋର୍‍ର ଆଶାରଖିଛି। ପେସ୍‍ ବୋଲର ରାଜେଶ ମହାନ୍ତି ଚଳିତବର୍ଷ ରଣଜୀ ପଦାର୍ପଣ କରି ଚମତ୍କାର ପ୍ରଦର୍ଶନ କରିଛନ୍ତି। ୪ଟି ମ୍ୟାଚ୍‍ରୁ ରାଜେଶ ସର୍ବାଧିକ ୧୯ଟି ୱିକେଟ ନେଇଥିବା ବସନ୍ତ ମହାନ୍ତି ୩ଟି ମ୍ୟାଚ୍‍ରୁ ୧୩ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନ ୧୦ଟି ଲେଖାଏଁ ୱିକେଟ ନେଇଛନ୍ତି। ତେବେ ଦେବବ୍ରତ ୪ଟି ମ୍ୟାଚ୍‍ରୁ ୧୦ଟି ୱିକେଟ ପାଇଥିବା ବେଳେ ଏହି ମ୍ୟାଚ୍‍ରେ ତାଙ୍କ ସ୍ଥାନରେ ବାମହାତି ସ୍ପିନର ଧୀରଜ ସିଂହଙ୍କୁ ସୁଯୋଗ ମିଳିପାରେ। ବ୍ୟାଟିଂ ଲାଇନ୍‍ରେ ପରିବର୍ତ୍ତନର ସମ୍ଭାବନା କମ୍‍। ଗତ ମ୍ୟାଚ୍‍ର ୨ୟ ଇନିଂସରେ ଅପରାଜିତ ୮୩ ରନ୍‍କରି ଜିତାଇବା ଅଭିଷେକ ରାଉତଙ୍କଠାରୁ ଅନୁରୂପ ଇନିଂସର ଆଶା ରଖିଛି ଓଡ଼ିଶା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories