ଭୁବନେଶ୍ୱରରୁ ବ୍ରହ୍ମପୁରକୁ ବିମାନ ସେବା ବନ୍ଦ ହେବ କି?
ରବିବାର ରଙ୍ଗେଇଲୁଣ୍ଡା ବିମାନ ପଡିଆକୁ ଆସିଲାନି ବିମାନ
ଗୋପାଳପୁର: ବହୁ ପ୍ରତିକ୍ଷିତ ଭୁବନେଶ୍ବର -ବ୍ରହ୍ମପୁର ଓ ବ୍ରହ୍ମପୁର -ଭୁବନେଶ୍ବର ବିମାନ ସେବା ବନ୍ଦ ହୋଇଯିବ କି? ଏନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପ୍ରତି ସପ୍ତାହର ବୁଧୁବାର ଓ ରବିବାର ଏଠାରେ ବିମାନ ସେବା ଉପଲବ୍ଧ ରହି ଆସୁଥିବା ବେଳେ ଜୁନ୯ ତାରିଖରେ ଏଠାକୁ ଭୁବନେଶ୍ବରରୁ ବିମାନ ଆସିନଥିଲା। ଏଠାରୁ ମଧ୍ୟ ବିମାନ ଉଡାଣ ହୋଇ ପାରିନାହିଁ। ଏନେଇ ବିମାନ ବନ୍ଦରରେ ଇଣ୍ଡିଆ ଓ୍ବାନର ଜୈନିକ କର୍ମଚାରୀଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ସମୟରେ ଅପରେସନାଲ ଅସୁବିଧା ଯୋଗୁଁ ଆଜିର ବିମାନ ସେବାକୁ ବାତିଲ କରା ଯାଇଥିବା କହିଥିଲେ। ଆସନ୍ତା ବୁଧବାର ବିମାନ ଚାଲିବ କି ବୋଲି ପ୍ରଶ୍ନରେ ସେମିତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।
ସୂଚନା ଯୋଗ୍ୟ ଯେ ବ୍ରିଟିଶ ଅମଳରୁ ତଥା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରୁ ବ୍ରହ୍ମପୁର ସନ୍ନିକଟ ଭଞ୍ଜବିହାର ଠାରେ ଥିବା ଭଞ୍ଜବିହାର ବିମାନ ପଡ଼ିଆର ନିର୍ମାଣ କରାଯାଇଥିଲା । କାଳକ୍ରମେ ଏହି ବିମାନ ପଡିଆ ଓଡ଼ିଶା ସରକାର, କେନ୍ଦ୍ରୀୟ ପ୍ରତିରକ୍ଷା ବିଭାଗ, ବେସରକାରୀ ପ୍ରତିଷ୍ଠାନ ଦ୍ବାରା ବ୍ୟବହୃତ ହୋଇ ଆସୁଥିଲା। ୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର କେତେକ ଛୋଟ ବିମାନ ବନ୍ଦରର ରୂପାନ୍ତରିକରଣ ନିମନ୍ତେ ଉଡାନ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ରଙ୍ଗେଇଲୁଣ୍ଡା ବିମାନ ପଡିଆ ପାଇଁ ସଠିକ ସମୟରେ ଡି ପି ଆର ପ୍ରସ୍ତୁତ କରାଯାଇ ପାରିନଥିବାରୁ ଏହି ବିମାନ ପଡିଆ ଉଡାନ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ରହିଥିଲା।
ଏହି ବିମାନ ବନ୍ଦର କୁ ଗ୍ରିନଫିଲ୍ଡ ବିମାନ ବନ୍ଦର ଭାବେ ଗଢି ତୋଳିବା ସହ ଏଠାରୁ ପ୍ରତ୍ୟହ ବିମାନ ଚଳାଚଳ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର ପ୍ରଦାନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶେଷରେ ନବୀନ ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ୫ ତାରିଖରେ ତରବରିଆ ଭାବେ ୪୦ ଏକର ପରିମିତ ତଥା ୭୫୦ ମିଟର ରନ ଓ୍ବେ ବିଶିଷ୍ଟ ବିମାନ ପଡିଆ ରୁ ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ବିମାନ ସେବାର ଶୁଭାରମ୍ଭ କରିଥିଲେ। ଏଠାରୁ ସପ୍ତାହରେ ଦୁଇଦିନ ୯ ଜଣ ଯାତ୍ରା କରିବାଭଳି ବିଶିଷ୍ଟ ନନ୍ ସେଡ୍ୟୁଲଡ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା।
ଏହା ମଧ୍ୟରେ ଅନେକ ସମୟରେ କେବଳ ଜଣେ ଯାତ୍ରୀ ଙ୍କୁ ନେଇ ବିମାନ ଚଳାଚଳ ସହ କେବେ କେବେ ବିନା ଯାତ୍ରୀ ରେ ଏଠାରୁ ବିମାନ ଚଳାଚଳ ମଧ୍ୟ କରି ଆସୁଥିଲା। କିନ୍ତୁ ଜୁନ ୯ତାରିଖ ରବିବାର ଦିନ ହଠାତ ବିମାନ ବନ୍ଦରକୁ ବିମାନ ନ ଆସିବା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶ୍ବସ୍ତ ସୁତ୍ର ରୁ ମିଳିଥିବା ସୂଚନା ଆଧାରରେ ଏହି ବିମାନ ଚଳାଚଳ ବ୍ୟବସ୍ଥା ଇଣ୍ଡିଆ ଓ୍ବାନ ଏୟାର ପକ୍ଷରୁ ଚାଲୁ ରହିଥିବା ବେଳେ କ୍ଷତିରେ ଚାଲୁଥିବା ଜଣାପଡିଛି। ଏଣୁ ଆଗାମୀ ବୁଧବାର ଦିନ ପୁଣିଥରେ ବିମାନ ଚଳାଚଳ କରିବା ନା ନବୀନ ସରକାର ଯିବା ପରେ ଏହି ବିମାନ ସେବା ମଧ୍ୟ ଏଠାରୁ ବନ୍ଦ ହୋଇ ଯିବକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩୧ କୋଟି ୫ ଲକ୍ଷ ୭୩ ହଜାର ୨୬୦ ଟଙ୍କା ଖର୍ଚ୍ଚ କରାଯାଇ ଗତ ଡିସେମ୍ବର ୨୭ ତାରିଖରୁ ବିମାନ ବନ୍ଦର ର ଉନ୍ନତିକରଣ କାମ ଚାଲୁ ରହିଥିବା ବେଳେ ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି।
Comments are closed.