www.samajalive.in
Thursday, December 11, 2025
27.1 C
Bhubaneswar

ଗାଁ ମାଟିରେ ସୁନା ଫଳାଉଛନ୍ତି ବିଦେଶ ଫେରନ୍ତା

ରାଜକନିକା : ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ଏହାରି କବଳରେ ପଡ଼ି ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ସବୁବର୍ଗର ଲୋକ। କଳକାରଖାନା ବନ୍ଦ, ବେପାର ବଣିଜ ବି ପ୍ରଭାବିତ। ରୋଜଗାର ଆଶାନେଇ ଭିଟାମାଟି ଛାଡ଼ିଥିବା ଲୋକେ ପୁଣି ଘରମୁହାଁ ହେଉଛନ୍ତି। ଆଗକୁ କେମିତି ପରିବାର ଚଳିବ ସେ ଚିନ୍ତା ବି ଅନେକଙ୍କୁ ଘାରିଲାଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କିନ୍ତୁ ନିଜ କ୍ଷେତବାଡ଼ିରେ ଆନନ୍ଦରେ ଦିନ କାଟୁଛନ୍ତି ଜଣେ ବିଦେଶ ଫେରନ୍ତା ମେକାନିକାଲ ଇଞ୍ଜିନିୟର। ପିଲାବେଳେ ପାଠ ବହିରୁ ପଢ଼ିଥିବା ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’ ଉକ୍ତିକୁ ବାସ୍ତବରେ ସେ ହୃଦୟଙ୍ଗମ କରିଛନ୍ତି।

ରାଜକନିକା ବ୍ଳକ୍‍ କୋଇଲିପୁର ପଞ୍ଚାୟତ ବିଶ୍ୱନାଥପୁର ଗ୍ରାମର ଅମର କୁମାର ରାଉତ ବୃତ୍ତିରେ ମେକାନିକାଲ ଇଞ୍ଜିନିୟର। ୨୦୦୯ରେ ସେ ପରିବାର ଭରଣପୋଷଣ ପାଇଁ ଗାଁ ଛାଡ଼ି ବିଦେଶ ଯାଇଥିଲେ। ଆଫ୍ରିକାର ମାର୍ଶାଲ ଆଇଲାଣ୍ଡରେ ସେ ରାମକୋ କମ୍ପାନୀରେ ଏକ ତେଲ ଖଣିରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ମାସକୁ ଦେଢ଼ଲକ୍ଷ ଟଙ୍କା ରୋଜକାର କରୁଥିଲେ ହେଁ ଗାଁ ମାଟିର ମୋହ ତାଙ୍କୁ ସବୁବେଳେ ଟାଣୁଥିଲା। ୨୦୧୮ରେ ବିଦେଶ ଚାକିରିର ମୋହ ତୁଟାଇ ସେ ଫେରିଆସିଥିଲେ ନିଜ ଗାଁକୁ। କିଛିଦିନ ଗାଁରେ ବୁଲାବୁଲି କରିବା ପରେ ଚାଷକାମ କରିବା ପାଇଁ ମନ ବଳାଇଥିଲେ। ବିଦେଶରେ ଥିଲାବେଳେ ସେ ଦେଖିଛନ୍ତି ଧନୀ, ଗରିବ ସମସ୍ତେ କୃଷିକୁ ପ୍ରାଧାନ୍ୟ ଦିଅନ୍ତି। କୌଣସି ବି କାମ କରିବାକୁ କେହି କୁଣ୍ଠାବୋଧ କରନ୍ତି ନାହିଁ। ବିଦେଶରେ ଲୋକଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଅନୁପ୍ରାଣିତ କଲା। ଶେଷରେ ବିଲକୁ ଗୋଡ଼ କାଢ଼ିଲେ ଅମର। ଏବେ ସେ ବାର୍ଷିକ ୫ଲକ୍ଷ ଟଙ୍କା ଆୟ କରୁଛନ୍ତି।

- Advertisement -

ନିଜର ୪ ଏକର ଜମିରେ କରିଛନ୍ତି ବିବିଧ ଚାଷ। ଯାହାକି ଆଜିର ସମୟରେ କ୍ଷେତବାଡ଼ିକୁ ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗିବ। ସେ ଏହି ଜମିରେ ୮ଟି ପୋଖରୀ ଖୋଳାଇ ମାଛଚାଷ କରିବା ସହିତ ବିଭିନ୍ନ କିସମର ଯାଆଁଳ ଚାଷ କରୁଛନ୍ତି। ଏହା ସହିତ ଦେଶୀ କୁକୁଡ଼ା ଏବଂ ବତକ ଚାଷ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରୁ ଦେଶୀୟ କୁକୁଡ଼ା ଆଣି ଗବେଷଣା କରି ଚାଷ କରୁଛନ୍ତି। କୁକୁଡ଼ା ଏବଂ ବତକଙ୍କ ଅଣ୍ଡା ମଧ୍ୟ ବିକ୍ରି କରି ଅଧିକ ଲାଭବାନ ହେଉଛନ୍ତି। ଗୀର୍‍ ଏବଂ ସାହିୱାଲ ପ୍ରଜାତିର ଗାଈ ମଧ୍ୟ ରଖି କ୍ଷୀର ବିକ୍ରି କରୁଛନ୍ତି। ଏତିକିରୁ ସେ ଅଟକି ଯାଇନାହାନ୍ତି। ଜୈବିକ ଉପାୟରେ (ଜିଆ ଖତ) ପ୍ରସ୍ତୁତ କରୁଛନ୍ତି। ପ୍ରାୟ ୧୦ ଟନ୍‍ର ଏହି ଜୈବିକ ଖତକୁ ସେ ନିଜେ ବିଲରେ ବ୍ୟବହାର କରିବା ସହିତ ବିକ୍ରି କରୁଛନ୍ତି। ସେ ଏହି ଖତ ପ୍ରସ୍ତୁତିରେ ବିଲରେ ଅଦରକାରୀ ପଦାର୍ଥକୁ ବ୍ୟବହାର କରୁଛନ୍ତି। ଯାହାକି ପରିବେଶକୁ ସ୍ୱଚ୍ଛ କରିବାରେ ସହାୟକ ହେଉଛି। ଏହା ସହିତ ଛତୁ ଚାଷ ମଧ୍ୟ କରୁଛନ୍ତି। ପୁଣି ଜୈବିକ ଖତ ସାହାଯ୍ୟରେ ଧାନ ଏବଂ ପନିପରିବା ଫଳାଉଛନ୍ତି।

ଅମର କହନ୍ତି, ରାତି ପାହିଲେ ଗାଈଗୋରୁଙ୍କ କଥା ତାପରେ କୁକୁଡ଼ା, ମାଛ ଏମିତି ଧାରାବାହିକ ଭାବେ ମୁଁ ଜୀବନର ପ୍ରତିଟି ସମୟକୁ ଉପଯୋଗ କରୁଛି। ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ବସି ଯେଉଁ ଆନନ୍ଦ ପାଉଛି, ତାହା ଆଗରେ ବିଦେଶ ମାଟିରେ ଲକ୍ଷଲକ୍ଷ ଟଙ୍କା ତୁଚ୍ଛ। ବିଲବାଡ଼ି କାର୍ଯ୍ୟରେ ଦୁଇ ସାନଭାଇ ମୋତେ ସହାୟତା କରୁଛନ୍ତି। କରୋନା ଆମ ପ୍ରକୃତିକୁ ଭଲ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି। ବିଲରେ କାମ କରିବାରେ କରୋନାର ଭୟ ନାହିଁ। ଅଫିସ୍‍ ନାଁ କଳକାରଖାନା ଯିବାରେ ରହିବ ପ୍ରତିବନ୍ଧକ। ବିନା ଭୟରେ ବିଲରେ ଚାଷ କରିବାରେ ରହିଛି ନିଆରା ଆନନ୍ଦ ବୋଲି କହନ୍ତି ଅମର। ଗାଁ ମାଟିରେ ହିଁ ରହିଛି ପ୍ରକୃତ ଆନନ୍ଦ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories