ଜୟପୁର: କରୋନାଠାରୁ ଅଧିକ ପ୍ରାଣଘାତୀ ହେଲାଣି ବ୍ଲାକ୍ ଫଙ୍ଗସ୍। କରୋନାରୁ ରୋଗୀ ସୁସ୍ଥ ହେବା ପରେ ବି ବ୍ଲାକ୍ ଫଙ୍ଗସ ସେମାନଙ୍କ ଜୀବନ ନେଇଯାଉଛି। ଏହି ଫଙ୍ଗସ୍ ଦ୍ବାରା ସୃଷ୍ଟି ହେଉଥିବା ମ୍ୟୁକୋର ମାଇକୋସିସ୍ ଯୋଗୁ ରୋଗୀ ସବୁଦିନ ପାଇଁ ନିଜର ଚକ୍ଷୁ ହରାଉଛନ୍ତି, ଏପରି କି ଜୀବନ ମଧ୍ୟ ହରାଉଛନ୍ତି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍କୁ ମହାମାରୀ ଘୋଷଣା କରିଛନ୍ତି। ବ୍ଲାକ୍ ଫଙ୍ଗସ ଦିନକୁ ଦିନ ଭୟଙ୍କର ରୂପେ ନେବାରେ ଲାଗିଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି।
ଆମେରିକାର ସିଡିସି ଅନୁସାରେ, ମ୍ୟୁକୋର ମାଇକୋସିସ୍ ବା ବ୍ଲାକ ଫଙ୍ଗସ ଏକ ବିରଳ ଫଙ୍ଗଲ ସଂକ୍ରମଣ। କିନ୍ତୁ ଏହା ଦ୍ବାରା ସୃଷ୍ଟି ହେଉଥିବା ସଂକ୍ରମଣ ଅତି ଗମ୍ଭୀର। ଯାହା ଏକ ଗୋଷ୍ଠୀର କବକ ଦ୍ବାରା ହୋଇଥାଏ। ଏଗୁଡ଼ିକ ସାଧାରଣ ପରିବେଶରେ ଜୀବିତ ରହିଥାନ୍ତି। ଏଗୁଡ଼ିକ ଫୁସଫୁସକୁ ବେଶୀ ପ୍ରଭାବିତ କରିଥାଏ।



