ମୁମ୍ବଇ/ବେଙ୍ଗାଲୁରୁ : ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆରେ ବର୍ଷା ଓ ବନ୍ୟା ବିତ୍ପାତ ମୃତ୍ୟୁସଂଖ୍ୟା ୨୦୦ ଟପିଛି। ବନ୍ୟା ଯୋଗୁଁ ଗତ ୪ଦିନରେ ମହାରାଷ୍ଟ୍ରରେ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୯୯ ଜଣ ନିଖୋଜ ଥିବା ପ୍ରଶାସନ କହିଛି। ନିଖୋଜ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଥିବାବେଳେ ସେମାନଙ୍କୁ ଉଦ୍ଧାର ନିମନ୍ତେ ଏନଡିଆରଏଫ ଓ ଏସଡିଆରଏଫ ପକ୍ଷରୁ ଉଦ୍ୟମ ଜାରି ରହିଛି। ବର୍ଷା ଜନିତ ବନ୍ୟା ଯୋଗଁୁ ୧.୩୫ ଲକ୍ଷ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଗତ ୪ଦିନ ହେଲା ମହାରାଷ୍ଟ୍ରରେ ବର୍ଷାଜନିତ ବନ୍ୟା, ମାଟିଅତଡା ଧସିବା ଓ ଘର ଭାଙ୍ଗିବା ଭଳି ଅଘଟଣ ଲାଗି ରହିଛି। ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବନ୍ୟା ପ୍ରଭାବିତ ରତ୍ନଗିରି ଜିଲାର ଚିପୁଲୁନ ସହର ପରିଦର୍ଶନ କରିଛନ୍ତି। ଏଠାକାର ମୁଖ୍ୟ ବଜାରରେ ଦୁଇଦିନ ହେଲା ୧୦ରୁ ୧୨ ଫୁଟର ଜଳ ପ୍ରବାହିତ ହେଉଛି। ସେହିପରି ରାଇଗଡ ଜିଲାର ତାଲିଏ ଗ୍ରାମକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହିତ ରାଜ୍ୟର ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା କରାଯିବ ବୋଲି କହିଛନ୍ତି। କର୍ଣ୍ଣାଟକର ଅଧିକାଂଶ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ବନ୍ୟାରେ ୪୫ଟି ତହସିଲର ୨୮୩ ଗ୍ରାମ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ଉଦ୍ଧାର ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗୋଆରେ ମଧ୍ୟ ବନ୍ୟା ପରିସ୍ଥିତି େଦଖାଯାଇଛି। ବନ୍ୟାରେ ପ୍ରାୟ ୧୦୦୦ ଘର ନଷ୍ଟ ହୋଇଥିବା କୁହାଯାଇଛି। ଶୁକ୍ରବାର ଠାରୁ ରାଜ୍ୟରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଗତ ୪୦ବର୍ଷର ରେକର୍ଡ ଭାଙ୍ଗିଛି। ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବନ୍ୟା ପ୍ରଭାବିତ ସଟ୍ଟାରି, ବିଚୋଲାମ, ପୋଣ୍ଡା, ବାରଦେଜ, ପେରନେମ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୧୯୮୨ ପରଠାରୁ ରାଜ୍ୟରେ ଏହା ସବୁଠୁ ବଡ ବନ୍ୟା।
ମୃତ୍ୟୁସଂଖ୍ୟା ୨୦୦ ଟପିଲା
Popular Categories



