www.samajalive.in
Sunday, December 7, 2025
15.1 C
Bhubaneswar

ବର୍ଷା ଆଉ ୨ଦିନ : ୯ରେ ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ଫେରିଯିବାର ସମୟ ଉପନୀତ ହୋଇଥିଲେ ମଧ୍ୟ ଏବେ ଓଡ଼ିଶାରେ ପାଣିପାଗର ପରିବର୍ତ୍ତନ ସହିତ ବଙ୍ଗୋପସାଗରରେ ଘନ ଘନ ଲଘୁଚାପ ଯୋଗୁଁ ମୌସୁମି ସକ୍ରିୟ ରହିଛି। ଏହାଫଳରେ ରାଜ୍ୟରେ ବର୍ଷା ଲାଗିରହିଛି। ଏଥିଯୋଗୁଁ ଚଳିତ ବର୍ଷ ରାଜ୍ୟରୁ ମୌସୁମି ଫେରିବାରେ ବିଳମ୍ବ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବାବେଳେ ସପ୍ତାହକ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଓଡ଼ିଶା ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଏବଂ ଘୂର୍ଣ୍ଣିବଳୟ ଏବେ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ମୌସୁମି ସକ୍ରିୟ ଥିବାରୁ ବର୍ଷା ଆହୁରି ଦୁଇଦିନ ଲାଗିରହିବ। ଏଥିସହିତ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୯ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମରେ ମୁହାଁଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ଗତି କରିବ। ଲଘୁଚାପ ସୃଷ୍ଟି ହେବାର ୨ରୁ ୩ ଦିନ ଭିତରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ରୁ ୧୩ ମଧ୍ୟରେ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ତେବେ ଓଡ଼ିଶା ଉପକୂଳରେ ଥିବା ଲଘୁଚାପ ପ୍ରଭାବରେ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୋଳ ଓ କେନ୍ଦୁଝର ଆଦି ୧୨ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ସହିତ ବିଭିନ୍ନ ସ୍ଥାନରେ ବଜ୍ରପାତର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା ୬ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ପବନର ଆଶଙ୍କା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରିଦିଆଯାଇଛି। ୭ ଓ ୮ତାରିଖ ପାଇଁ ବିଶେଷ ବର୍ଷାର ଆଶଙ୍କା ନାହିଁ। ତେବେ ୯ତାରିଖରୁ ଆଉ ଏକ ଲଘୁଚାପର ସମ୍ଭାବନା ଥିବାରୁ ଏଥିପାଇଁ ଜନସାଧାରଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୯ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ପ୍ରଥମ ଦୁଇ ଦିନ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ସହିତ ଅବପାତରେ ପରିଣତ ହେବ। ଏହା ପରେ ଆନ୍ଧ୍ରର ଉତ୍ତର ଉପକୂଳ ମୁହାଁଇ ୧୨ରେ ସ୍ଥଳଭାଗ ଛୁଇଁବା ସହିତ ୧୩ରେ ଦୁର୍ବଳ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ୧୧ରୁ ୧୩ ପର୍ଯ୍ୟନ୍ତ ତିନି ଦିନ ବର୍ଷା ହେବ। ଉପକୂଳ ଓ ଅବିଭକ୍ତ କୋରାପୁଟରେ ଅଧିକ ବର୍ଷା ହେବ। ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପର ପ୍ରଭାବ ୮ତାରିଖ ପର୍ଯ୍ୟନ୍ତ ରହିବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଲାଗିରହିବ। ଦକ୍ଷିଣ-ପଶ୍ଚିମ ମୌସୁମି ଆଭ୍ୟନ୍ତରୀଣ ଜିଲାଗୁଡ଼ିକରୁ ଅକ୍ଟୋବର ୧୦ ଏବଂ ଗଞ୍ଜାମରୁ ୧୪ ସୁଦ୍ଧା ସ୍ୱାଭାବିକ ଭାବେ ଫେରିଥାଏ। ହେଲେ ଚଳିତ ବର୍ଷ ମୌସୁମି ଫେରିବାରେ ଏକ ସପ୍ତାହ ବିଳମ୍ବ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories