ନୂଆଦିଲ୍ଲୀ: କଂଗ୍ରେସ ଶିଳ୍ପପତିଙ୍କ ବିରୋଧୀ ନୁହେଁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବୁଧବାର ଦିନ ଦେଶର ଶିଳ୍ପପତିଙ୍କ ସହିତ ଆଲୋଚନା ବେଳେ ଶ୍ରୀ ଗାନ୍ଧୀ କହିଛନ୍ତି ଯେ ତାଙ୍କ ଦଳ ଦେଶର ଶିଳ୍ପ କିମ୍ବା ଶିଳ୍ପପତିଙ୍କ ବିରୋଧୀ ନୁହେଁ। ସେ କେବଳ ସ୍ୱାର୍ଥାନ୍ୱେଷୀ ଶିଳ୍ପପତିଙ୍କୁ ବିରୋଧ କରୁଛନ୍ତି। ଅନିଲ ଅମ୍ବାନି, ମେହୁଲ ଚୋକ୍ସି, ନୀରବ ମୋଦୀ ପ୍ରମୁଖ କେତେକ ପ୍ରଧାନମନ୍ତ୍ରୀଙ୍କ ଅନ୍ତରଙ୍ଗ ଶିଳ୍ପପତିଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି। ସେମାନେ ଚଳିତ ସରକାର ଅମଳରେ ପ୍ରଭୂତ ଲାଭବାନ ହୋଇଛନ୍ତି। ତେଣୁ ତାଙ୍କ ଆଭିମୁଖ୍ୟ ଓ ମନ୍ତବ୍ୟକୁ ଭୁଲ୍ ତର୍ଜମା କରା ନ ଯାଉ। କଂଗ୍ରେସ କୃଷକ ଓ ସାଧୁ ଶିଳ୍ପପତିଙ୍କ ସପକ୍ଷରେ ରହିଛି। ବିଶେଷକରି ଦେଶଗଠନରେ ବିଶେଷ ସହାୟକ ହେଉଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ କଂଗ୍ରେସ ସମର୍ଥନ ଦେଇ ଆସୁଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅବଦାନ ଯୋଗୁଁ ଭାରତ ଚୀନକୁ ଟପି ପାରିବ। କିନ୍ତୁ ମୋଦୀ ସରକାରଙ୍କ ଜିଏସ୍ଟି ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏମ୍ନରେଗାକୁ ଅଧିକ କ୍ରିୟାଶୀଳ କରିବା ଓ ସର୍ବନିମ୍ନ ଆୟ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ରାହୁଲ୍ କହିଛନ୍ତି।
Popular Categories



