www.samajalive.in
Saturday, December 13, 2025
18.1 C
Bhubaneswar

ମସ୍କ ତେଜିଲେ ଇଭିଏମ୍‌ ବିବାଦ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟବସାୟୀ ତଥା ଟେସ୍‌ଲା ଅଟୋମେଟିଭ୍ କମ୍ପାନୀର ମାଲିକ ଏଲନ ମସ୍କଙ୍କ ମନ୍ତବ୍ୟକୁ ନେଇ ଭାରତରେ ପୁଣି ଥରେ ଇଭିଏମ୍ ବିବାଦ ତେଜିଛି। ମସ୍କଙ୍କ ମନ୍ତବ୍ୟ ଇଭିଏମ୍‌ ଜାଲିଆତିର ଆଶଙ୍କାକୁ ତେଜାଇଛି ଏବଂ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତରେ ହେଉଥିବା ବିଭିନ୍ନ ନିର୍ବାଚନରେ ଭୋଟ ଗ୍ରହଣ ଲାଗି ଇଲେ‌େକ୍ଟ୍ରାନିକ୍ ଭୋଟିଂ ମେସିନ (ଇଭିଏମ୍‌)ର ବ୍ୟବହାର କରାଯାଉଥିଲାବେଳେ ଏଥିରେ ଜାଲିଆତି ସମ୍ଭାବନା ନେଇ ମସ୍କ ଆଶଙ୍କା ବ୍ୟକ୍ତ କରିବା ସହିତ ଏହାକୁ ହଟାଇବା ଲାଗି ମତ ଦେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସମର୍ଥନରେ ବାହାରିଛନ୍ତି। ଅପରପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମସ୍କଙ୍କୁ ବିରୋଧ କରିଥିବାବେଳେ ବିଜେପି ନେତା ଅମିତ ମାଲବ୍ୟ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ର ଏକ ପୋଷ୍ଟରେ ମସ୍କ ଲେଖିଛନ୍ତି ଯେ ‘ଆମେ ଇଭିଏମ୍‌କୁ ହଟାଇବା ଦରକାର; କାରଣ ଏହାକୁ ମଣିଷ କିମ୍ବା ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଦ୍ବାରା ହ୍ୟାକ (ଜାଲିଆତି) କରାଯିବାର ଆଶଙ୍କା ରହିଛି; ଯଦିଓ ଏହି ଜାଲିଆତିର ଆଶଙ୍କା ବହୁତ କମ୍।’
ମସ୍କଙ୍କ ଉପରୋକ୍ତ ମନ୍ତବ୍ୟକୁ ପୂର୍ବତନ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଖଣ୍ଡନ କରିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି ଯେ ମସ୍କଙ୍କ ଏହି ମତାମତ ଆମେରିକା ଓ ଅନ୍ୟ ଦେଶରେ କାର୍ଯ୍ୟକାରୀ କରାଯିବା ଦରକାର; ଯେଉଁଠାରେ ଇଣ୍ଟରନେଟ୍ ସଂଯୁକ୍ତ ଭୋଟିଂ ମେସିନ ବ୍ୟବହାର କରାଯାଉଛି। ମସ୍କ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଏକ ସାଧାରଣ ଅନୁମାନ। ଏଥିରୁ ଜଣାଯାଉଛି ଯେ କେହି ସୁରକ୍ଷିତ ଡିଜିଟାଲ ହାର୍ଡୱେର ତିଆରି କରିପାରିବେ ନାହିଁ। ଭାରତରେ ଭୋଟ ଗ୍ରହଣ ପାଇଁ ଯେଉଁ ଇଭିଏମ୍ ବ୍ୟବହାର କରାଯାଉଛି ତାହା ଇଣ୍ଟରନେଟ୍ ସଂଯୋଗ, ଗଣମାଧ୍ୟମ ଓ ଅନ୍ୟାନ୍ୟ ସମ୍ପର୍କଠାରୁ ଦୂରରେ ଥାଏ। ମାତ୍ର ଆମେରିକା ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଯାଉଥିବା ଭୋଟିଂ ମେସିନ୍‌ରେ ଇଣ୍ଟରନେଟ୍ ସଂଯୋଗ ଥାଏ; ଯାହାକୁ ଅନ୍ୟ ଯେ କେହି ଆକସେସ୍‌ କରିପାରିବେ। ଇଭିଏମ ଜାଲିଆତି ସମ୍ପର୍କିତ ମସ୍କଙ୍କ ମନ୍ତବ୍ୟକୁ ଚନ୍ଦ୍ରଶେଖର ଚାଲେଞ୍ଜ କରିଛନ୍ତି। ମସ୍କ ଭାରତ ଆସି ଇଭିଏମ୍‌ ଜାଲିଆତିର ନମୁନା ଦେଖାଇବାକୁ ସେ ଆହ୍ବାନ ଦେଇଛନ୍ତି। ମସ୍କଙ୍କ ଇଭିଏମ୍ ଜାଲିଆତି ଆଶଙ୍କାକୁ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ସମାଲୋଚନା କରିଛନ୍ତି। ଏହାକୁ ପ୍ରମାଣିତ କରି ଦେଖାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି।
ଅପରପକ୍ଷରେ ମସ୍କଙ୍କ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଇଭିଏମ୍‌କୁ ଏକ ‘ବ୍ଲାକ ବକ୍ସ’ ସହିତ ତୁଳନା କରିଛନ୍ତି। ରାହୁଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ‘ଭାରତର ଇଭିଏମ୍‌ଗୁଡିକ ବ୍ଲାକ ବକ୍ସ। ଏହାକୁ ଯାଞ୍ଚ କରିବା ଲାଗି କାହାକୁ ଅନୁମତି ଦିଆଯାଏ ନାହିଁ। ଆମ ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ନେଇ ମସ୍କ ଗୁରୁତ୍ବପୂର୍ଣ୍ଣ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ଜାଲିଆତି ଦ୍ବାରା ଦେଶର ଗଣତନ୍ତ୍ରକୁ ଧ୍ବଂସ କରାଯିବା ଉଦ୍ୟମ ହେଉଛି।’ ଏହାର ଜବାବରେ ଅମିତ ମାଲବ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ମସ୍କଙ୍କୁ ଭାରତୀୟ ଗଣତନ୍ତ୍ର ବିଷୟରେ ବୁଝାଇବା ଆବଶ୍ୟକ ନାହିଁ।
ଭାରତରେ ସଦ୍ୟ ଶେଷ ହୋଇଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ‘ଇଣ୍ଡି’ ମେଣ୍ଟ ଇଭିଏମ୍ ଜାଲିଆତିକୁ ନେଇ ପ୍ରଶ୍ନ ଉଠାଇଥିଲା; ମାତ୍ର ନିର୍ବାଚନରେ ମେଣ୍ଟର ସଫଳତା ପରେ ଇଭିଏମ୍‌ ଜାଲିଆତି ପ୍ରଶ୍ନରୁ ବିରୋଧୀ ଓହରିଯାଇଥିଲେ। ଏହି ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତାରୁ ଦୂରରେ ରହିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଇଭିଏମ୍‌ ସୁରକ୍ଷିତ ବୋଲି ଦର୍ଶାଇଥିଲେ। ଏବେ ମସ୍କଙ୍କ ମନ୍ତବ୍ୟ ପରେ ଏହି ବିବାଦ ପୁଣି ମୁଣ୍ଡ ଟେକିଛି।
ଅନ୍ୟ ଏକ ଘଟଣାକ୍ରମେ ମହାରାଷ୍ଟ୍ରରେ ଇଭିଏମ୍‌କୁ ନେଇ ବିବାଦ ଦେଖାଦେଇଛି। ମୁମ୍ବଇ ନର୍ଥ ୱେଷ୍ଟ ଆସନ ଅନ୍ତର୍ଗତ ଗୋରେଗାଓଁସ୍ଥିତ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣତି ସମୟରେ ଏଜେଣ୍ଟ ମୋବାଇଲ ଫୋନ ବ୍ୟବହାର କରିଥିଲେ। ପୁଲିସ କହିବା ଅନୁଯାୟୀ ଏଜେଣ୍ଟ ଯେଉଁ ମୋବାଇଲ ବ୍ୟବହାର କରିଥିଲେ ତାହା ଇଭିଏମ୍‌କୁ ଖୋଲିବା ଲାଗି ଆବଶ୍ୟକ ଓଟିପି ଜେନେରେଟ ପାଇଁ ମଧ୍ୟ ବ୍ୟବହାର କରାଯାଇଥିଲା। ମୋବାଇଲ ଦ୍ବାରା ଓଟିପି ଜେନେରେଟ୍ କରାଯାଇଥିବା ଅଭିଯୋଗ ପରେ ବିବାଦ ଜୋର ଧରିଛି। ଏହି ଘଟଣାରେ ଭୋଟ ଗଣତି କେନ୍ଦ୍ରରେ ମୋବାଇଲ ଫୋନ ବ୍ୟବହାରକୁ ନେଇ ଶିବସେନାର ନବ ନିର୍ବାଚିତ ସାଂସଦ ରବୀନ୍ଦ୍ର ୱେକରଙ୍କ ସମ୍ପର୍କୀୟ ମଙ୍ଗେସ ପାଣ୍ଡିଲକରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଲୋକସଭା ନିର୍ବାଚନରେ ରବୀନ୍ଦ୍ର ମୁମ୍ବଇ ନର୍ଥ ୱେଷ୍ଟ ଆସନରେ ୪୮ଟି ଭୋଟ ବ୍ୟବଧାନରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ ଗଜାନନ କୀର୍ତ୍ତିକାରଙ୍କୁ ପରାସ୍ତ କରିଛନ୍ତି। ଗୋରେଗାଓଁସ୍ଥିତ ଭୋଟ ଗଣତି କେନ୍ଦ୍ରରେ ପାଣ୍ଡିଲକର ପ୍ରାର୍ଥୀଙ୍କ ଏଜେଣ୍ଟ ଭାବେ ଉପସ୍ଥିତ ଥିଲେ।
ଏହାକୁ ନେଇ ଉଦ୍ଧବ ଠାକରେ କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ ଫଳକୁ ଚାଲେଞ୍ଜ କରିବ। ପାଣ୍ଡିଲକରଙ୍କ ବ୍ୟତୀତ ଜଣେ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମଧ୍ୟ ମୁମ୍ବଇ ପୁଲିସ ମାମଲା ରୁଜୁ କରିଛି। ଦିନେଶ ଗୌରବ ନାମକ ଜଣେ ନିର୍ବାଚନ ଅଧିକାରୀ ତାଙ୍କ ଫୋନକୁ ପାଣ୍ଡିଲକରଙ୍କୁ ବ୍ୟବହାର ଲାଗି ଦେଇଥିଲେ। ଗୌରବଙ୍କ ଫୋନ ମାଧ୍ୟମରେ ଓଟିପି ଜେନେରେଟ କରାଯାଇ ଇଭିଏମ୍‌କୁ ଅନଲକ୍ କରାଯାଇଥିବା କୁହାଯାଇଛି। ଗୌରବଙ୍କ ଫୋନ ଦ୍ବାରା ପାଣ୍ଡିଲକର ଭୋଟ ଗଣତି ସମ୍ପର୍କିତ ସୂଚନା ତାଙ୍କ ପ୍ରାର୍ଥୀଙ୍କୁ ଦେଉଥିଲେ। ଉପରୋକ୍ତ ପ୍ରସଙ୍ଗକୁ ନେଇ ରିଟର୍ଣ୍ଣି ଅଫିସର ବନ୍ଦନା ସୂର୍ଯ୍ୟବଂଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୋଟିଂ ମେସିନ କାର୍ଯ୍ୟକ୍ଷମ ଲାଗି କୌଣସି ପ୍ରକାର ଓଟିପି ଆବଶ୍ୟକ ହୋଇ ନଥାଏ। ଇଭିଏମ୍‌ରେ ରହିଥିବା ବିଭିନ୍ନ ବଟନ୍ (ସୁଇଚ୍)କୁ ବ୍ୟବହାର କରାଯାଇ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ତେଣୁ ପାଣ୍ଡିଲକର ବ୍ୟବହାର କରିଥିବା ଫୋନ ଦ୍ବାରା ଓଟିପି ଜେନେରେଟ୍ କରାଯାଇଥିବାର ଯେଉଁ ଅଭିଯୋଗ ଓ ଖବର ପ୍ରକାଶ କରାଯାଉଛି ତାହା ମିଥ୍ୟା ଓ ଏହାକୁ ଯାଞ୍ଚ କରାଯାଇ ନାହିଁ। ଯେଉଁ ଖବରକାଗଜ ଏପରି ମିଥ୍ୟା ଖବର ପ୍ରସାରଣ କରିଛି ତାହା ବିରୋଧରେ ମାନହାନି ମାମଲା ରୁଜୁ କରାଯିବା ସହ ନୋଟିସ୍ ଜାରି କରାଯାଇଛି ବୋଲି ରିଟର୍ଣ୍ଣି ଅଫିସର କହିଛନ୍ତି। ପୁଲିସ ଏତଲାରୁ ଜଣାଯାଇଛି ଯେ ଦିନେଶ ଗୌରବ ଜଣେ ନିର୍ବାଚନ କର୍ମଚାରୀ। ଡାଟା ସଂକଳନ ଲାଗି ତାଙ୍କୁ ମୋବାଇଲ ଫୋନ ବ୍ୟବହାର ଅନୁମତି ଦିଆଯାଇଥିଲା। ଡାଟା ସଂକଳନ ପାଇଁ ତାଙ୍କ ମୋବାଇଲରେ ଓଟିପି ଜେନେରେଟ୍ କରାଯାଇଥିଲା। ଗୌରବଙ୍କ ଫୋନରୁ ପାଣ୍ଡିଲକର ଫୋନ୍‌ କଲ୍‌ ଓ ରିସିଭ୍ କରିଥିଲେ। ଏହି ଘଟଣାରୁ ଇଭିଏମ୍‌ ଜାଲିଆତି ନେଇ ଉଦ୍ଧବଙ୍କ ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories