ପୁରୀ: ପୁରୀ ରଥଯାତ୍ରା ସହ ସମ୍ପୃକ୍ତ ଶ୍ରୀମନ୍ଦିରର ସବୁ ସେବକଙ୍କୁ ଦିଆଯିବ କରୋନା ପ୍ରତିଷେଧକ ଟିକା। ଅକ୍ଷୟତୃତୀୟା ରଥ ନିର୍ମାଣ ଆରମ୍ଭ ପୂର୍ବରୁ ମହାରଣା, ଚିତ୍ରକାର, ରୂପକାର, ଭୋଇ, ଓଝା ଏବଂ ଦରଜି ସେବକଙ୍କୁ ଟିକା ଦିଆଯିବ। ଦଇତାପତିଙ୍କ ସମେତ ଅନ୍ୟ ସେବକମାନେ କରୋନା ଟିକା ନେବେ। ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବକଙ୍କ ପାଇଁ ଆବଶ୍ୟକ ପରିମାଣର ଟିକା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯିବ। କରୋନା ସ୍ଥିତିର ସମୀକ୍ଷା ପରେ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସବୁ ସେବକ ପରିବାରର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା କିପରି ପାଳନ କରାଯିବ ସେ ସମ୍ପର୍କରେ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଚଳ ଭକ୍ତ ନିବାସରେ ବୁଧବାର ସ୍ବତନ୍ତ୍ର କରୋନା ପ୍ରଯତ୍ନ କେନ୍ଦ୍ର ଖୋଲାଯାଇଛି। ସେଠାରେ ଶଯ୍ୟା ପକାଯିବା ସହ ଅମ୍ଳଜାନ ବ୍ୟବସ୍ଥା କରାଯାଇଛି। କରୋନା ଲକ୍ଷଣ ଥିବା ଏବଂ କରୋନା ସଂକ୍ରମିତ ସେବକଙ୍କୁ ନେବା ଆଣିବା କରିବା ପାଇଁ ଗୋଟିଏ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଆୟୁଷ ମନ୍ତ୍ରଣାଳୟ ସୁପାରିସ ଅନୁଯାୟୀ ସବୁ ସେବକ ପରିବାରକୁ ହୋମିଓପ୍ୟାଥିକ ଔଷଧ ମାଗଣାରେ ଦିଆଯାଉଥିବା ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି। କରୋନା ସମ୍ପର୍କରେ ସେବକଙ୍କ ସମେତ ସହରବାସୀଙ୍କୁ ସଚେତନ କରାଇବା ପାଇଁ କରୋନା ରଥ ବୁଧବାରଠାରୁ ପୁରୀରେ ବୁଲିବା ଆରମ୍ଭ କରିଛି। ହରିଦ୍ବାର କୁମ୍ଭମେଳାରୁ ଫେରିଥିବା ୩୨ଜଣଙ୍କ ମଧ୍ୟରୁ ଜଣେ ସେବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏତଦ୍ବ୍ୟତୀତ କରୋନାରେ ସଂକ୍ରମିତ ସେବକ, ସେମାନଙ୍କ ପରିବାର ସଦସ୍ୟ ଏବଂ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

କରୋନା ସ୍ଥିତିର ପରିଚାଳନା ପାଇଁ ମନ୍ଦିର, ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏବଂ ସେବକ ପ୍ରତିନିଧିଙ୍କୁ ନେଇ ୭ଜଣିଆ କମିଟି ଗଠନ କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ସେ କହିଛନ୍ତି ରାଜ୍ୟ ବାହାର ଲୋକଙ୍କ ପରି ରାଜ୍ୟ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ କରୋନା ପରୀକ୍ଷା ଚିଠା ଦେଖାଇବା ବାଧ୍ୟତାମୂଳକ କରାଯିବା ସମ୍ପର୍କରେ ବିଭିନ୍ନ ସେବକ ନିଯୋଗ ସହ ଆଲୋଚନା କରାଯାଉଛି। ଶନିବାର ଏ ସମ୍ପର୍କରେ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଉକିଛି କଟକଣା ଜାରି କରାଯିବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ଭିତରେ ୨ଜଣ ଜେଟିପି କର୍ମଚାରୀ ଗତ ୧୮ତାରିଖ ଦିନ ମାରପିଟ୍ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେ କହିଲେ ସୁରକ୍ଷା ପ୍ରଶାସକଙ୍କ ତଦନ୍ତ ରିପୋର୍ଟକୁ ତର୍ଜମା କରାଯାଉଛି। ତାହାକୁ ଭିତ୍ତିକରି ବିଶୃଙ୍ଖଳିତଙ୍କ ବିରୋଧରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜିଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିରଜା ଶଙ୍କର ରଥ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।



