www.samajalive.in
Saturday, December 6, 2025
26.1 C
Bhubaneswar

ସତ୍ୟପାଠ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କୁ ନିର୍ଦେଶ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଅଗଷ୍ଟ ୭ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ କମିସନ। ଜଷ୍ଟିସ୍‍ ରଘୁବୀର ଦାଶ ସୋମବାର ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ କାହା ପାଖରେ ରତ୍ନଭଣ୍ଡାର ଚାବି ରହିବା କଥା ଏବଂ କେବେଠାରୁ ଚାବି ମିଳୁନାହିଁ ସେଥିନେଇ ସେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଘଟଣାରେ ପୂର୍ବରୁ ମିଳିଥିବା ୪ଟି ସତ୍ୟପାଠରେ ତଦନ୍ତକୁ ଆଗେଇ ନେବାପରି ଆବଶ୍ୟକ ତଥ୍ୟ ନଥିବା ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି। ସେ କହିଲେ ରତ୍ନଭଣ୍ଡାର ଚାବି ହଜିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ମୁଖ୍ୟ ପ୍ରଶାସକ ଏବଂ ଜିଲାପାଳଙ୍କଠାରୁ ସତ୍ୟପାଠ ମିଳିବା ପରେ ତାହାକୁ ତର୍ଜମା କରାଯିବ। ଆବଶ୍ୟକସ୍ଥଳେ ଅଧିକ ତଦନ୍ତ ପାଇଁ କିଛି ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯିବା ସହ ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯିବ। ୩ମାସ ମଧ୍ୟରେ ଯଦି ତଦନ୍ତ ପ୍ରକ୍ରିୟା ଶେଷ ନହୁଏ ତାହାହେଲେ ସମୟ ବୃଦ୍ଧିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜଷ୍ଟିସ୍‍ ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରଥଯାତ୍ରା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସମସ୍ତ ତଥ୍ୟ ଦାଖଲ କରିପାରିନଥିବା ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। କମିସନଙ୍କ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ତାରିଖ ଦିନ କଟକରେ ଅନୁଷ୍ଠିତ ହେବ। ପୂର୍ବରୁ ସତ୍ୟପାଠ ଦାଖଲ କରିଥିବା କୌଣସି ବ୍ୟକ୍ତି ସେଠାରେ ପକ୍ଷ ରଖିପାରିବେ। ଚାବି ହଜିବା ଘଟଣାରେ ସମସ୍ତ ଦିଗପ୍ରତି କମିସନ ଅନୁଧ୍ୟାନ କରୁଥିବା ଜଷ୍ଟିସ୍‍ ଶ୍ରୀ ଦାଶ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ଶ୍ରୀମନ୍ଦିର ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ, ଉପଜିଲାପାଳ ଭବତାରଣ ସାହୁ ଏବଂ ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର ବୈଠକରେ ଉପସ୍ଥିତ ଥିଲେ। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କମିସନଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଚାବି ହଜିବା ଏବଂ ଜିଲା ରେକର୍ଡରୁମ୍‍ରୁ ଡୁପ୍ଲିକେଟ ଚାବି ମିଳିବା ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ବୈଠକ ପୂର୍ବରୁ ଜଷ୍ଟିସ୍‍ ଶ୍ରୀ ଦାଶ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories