ପୁରୀ : ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ସହ ରଥ କାର୍ଯ୍ୟ ମଧ୍ୟ ଅନୁକୂଳ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଙ୍କର ଭିଡ ମଧ୍ୟ ଜମିଥାଏ କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି ଏବଂ ଚନ୍ଦନ ଯାତ୍ରାର ବିଧି ଶ୍ରୀମନ୍ଦିର ଭିତରେ କରିବାକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।
ଏହାରି ମଧ୍ୟରେ ଶ୍ରୀ ମନ୍ଦିର ପ୍ରଶାସନ, ସେବାୟତ ଏବଂ ପୁରୀ ଜିଲା ପ୍ରଶାସନ ମଧ୍ୟରେ ଶ୍ରୀମନ୍ଦିର ଭିତରେ କେଉଁଠି ମହାପ୍ରଭୁଙ୍କଅକ୍ଷୟ ତୃତୀୟା ନୀତି ଏବଂ ଚନ୍ଦନ ଯାତ୍ରାର ବିଧି ଅନୁଷ୍ଠିତ ହେବ ସେ ନେଇ ବୈଠକ କରାଯାଉଛି । ଏହି ବୈଠକରେ ପୁରୀ ଜିଲାପାଳ, ଏସପି, ସେବାୟତ ଏବଂ ପାଳିଆ ସେବକ ପ୍ରଭୁଖ ଉପସ୍ଥିତ ରହିଛନ୍ତି ।
ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ରଥକାଠ ପୂଜା ଏବଂ ବାହାର ଚନ୍ଦନ ଯାତ୍ରା ବିଧିକୁ ଶ୍ରୀମନ୍ଦିର ଭିତରେ କିପରି କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଉଛି । ଜନଗହଳି ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ନୀତି ସଂପାଦନ କରାଯିବ । ମେଘନାଦ ପାଚେରୀକୁ ଲାଗି ରହିଥିବା ସାହାଣି ମଣ୍ଡପ ନିକଟରେ ରଥକାଠ ପୂଜା କରାଯିବା ନେଇ ସୂଚନା ମିଳିଥିବା ବେଳେ ଏହି ବିଧି କିପରି କରାଯିବ ସେନେଇ ସେବାୟତଙ୍କ ସହିତ ଆଲୋଚନା ହେଉଛି ।
ସୂଚନାଯୋଗ୍ୟ କରୋନା ପାଇଁ ସମସଗ୍ର ଦେଶ ଲକ୍ ଉାଡନ ହୋଇଥିବା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ହେବ ।



