www.samajalive.in
Monday, December 8, 2025
14.1 C
Bhubaneswar

ସିଏଏ ନାଗରିକତା ଦେବ, ଛଡ଼ାଇବ ନାହିଁ : କେନ୍ଦ୍ରମନ୍ତ୍ରୀ ଅଠାୱଲେ

-ସରକାର ସାରା ଦେଶରେ ଏନଆରସି ଲାଗୁ କରିବାର ନିଷ୍ପତି  ନେଇନାହାନ୍ତି
-ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରେ ମହିଳା ଓ ଦଳିତ ସ୍ଥାନ ପାଇବା ସ୍ୱାଗତଯୋଗ୍ୟ
-ଦଳିତ ନିର୍ଯାତନା ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
-ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ମିଳିବା ଉଚିତ

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଶନିବାର ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ନାଗରିକମାନଙ୍କ ସ୍ୱାର୍ଥ ପାଇଁ ହୋଇଥିଲେ ମଧ୍ୟ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି।
ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଥିଲେ। ସରକାର ସାରା ଦେଶରେ ଏନଆରସି ଲାଗୁ କରିବାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସିଏଏ ଦ୍ୱାରା ମୁସଲମାନଙ୍କର କୌଣସି କ୍ଷତି ହେବ ନାହିଁ। ଯଦି କୌଣସି କ୍ଷତି ହୁଏ ତା’ହେଲେ ସେ ମୁସଲମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ଅଠାୱଲେ ପ୍ରକାଶ କରିଥିଲେ। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛନ୍ତି। କେନ୍ଦ୍ର ସରକାର ସର୍ବଦା ମୁସଲିମ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସିଛନ୍ତି। ତିନି ତଲାକ ପ୍ରଥାର ଉଚ୍ଛେଦ ଫଳରେ ମୁସଲିମ ମହିଳାମାନଙ୍କୁ ସେମାନଙ୍କ ଅଧିକାର ମିଳିପାରିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ‘ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ’ ଭାବନା ନେଇ କାମ କରୁଛନ୍ତି। ତେଣୁ ମୁସଲମାନମାନେ କେନ୍ଦ୍ର ସରକାରଙ୍କ ପ୍ରତି ବିଶ୍ୱାସ ରଖିବା ଦରକାର ବୋଲି ଶ୍ରୀ ଅଠାୱଲେ କହିଥିଲେ।
ଅଯୋଧ୍ୟା ରାୟ ସମ୍ପର୍କରେ ମତପ୍ରକାଶ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଦେଶ ସକାରାତ୍ମକ ଭାବେ ସ୍ୱୀକାର କରିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟ ଗଠନ କରିବା ଲାଗି ସଂସଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଟ୍ରଷ୍ଟରେ ଜଣେ ମହିଳା ଓ ଅନ୍ୟ ଜଣେ ଦଳିତଙ୍କୁ ସାମିଲ କରାଯିବା ସ୍ୱାଗତଯୋଗ୍ୟ। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ଅଯୋଧ୍ୟାରେ ମୁସଲମାନଙ୍କୁ ୫ ଏକର ଜମି ମସଜିଦ ନିର୍ମାଣ ପାଇଁ ଦିଆଯିବ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଯାତନା ନିବାରଣ ଆଇନ ୧୯୮୯କୁ କଡ଼ାକଡ଼ି ଲାଗୁ କରାଗଲେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ହ୍ରାସ ପାଇବ। ଓଡ଼ିଶାରେ ୨୦୧୮ରେ ୨୩୨୦ ଓ ୨୦୧୯ ବର୍ଷରେ ୨୪୬୯ଟି ଦଳିତ ନିର୍ଯାତନା ମାମଲା ରୁଜୁ ହୋଇଛି। ବ୍ୟାପକ ସାମାଜିକ ସଚେତନତା ସତ୍ୱେ ଏପରି ମାମଲା ବୃଦ୍ଧି ପାଇବା ବାସ୍ତବରେ ଦୁଃଖଦ ବିଷୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସାମାଜିକ ସମତା ଆଣିବା ପାଇଁ ସବର୍ଣ୍ଣ-ଅସବର୍ଣ୍ଣ ବିବାହକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଆନ୍ତଃଜାତି ବିବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଥିବା ସ୍ଥଳରେ ବିଧିବଦ୍ଧ ଆବେଦନ କରାଗଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ସାରା ଦେଶରେ ବାର୍ଷିକ ୧ ଲକ୍ଷରୁ ଅଧିକ ଆନ୍ତଃଜାତି ବିବାହ ହେଉଛି ବୋଲି ସେ କହିଥିଲେ। ତେବେ କେତେକ କ୍ଷେତ୍ରରେ କେବଳ ଅର୍ଥ ହାସଲ କରିବା ଲାଗି ଆନ୍ତଃଜାତି ବିବାହ କରାଯାଉଥିବା ଦେଖିବାକୁ ମିଳିଛି। ଏପରି ମାମଲା ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ।

- Advertisement -

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ୧ଲକ୍ଷ ୩୯ ହଜାରରୁ ଊର୍ଦ୍ଧ୍ବ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ଯୋଗାଇ ଦିଆଯାଉଥିବା ସମୟରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତୀ ଛାତ୍ରବୃତ୍ତି ଯୋଗାଇ ଦିଆଯାଉଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଗତ ଦୁଇଟି ଆର୍ଥିକ ବର୍ଷରେ ୮୩ କୋଟି ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯାଇଛି। ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୬ ହଜାର ଛାତ୍ରାବାସ ନିର୍ମାଣ କରାଯାଇଛି। ଆମ ସରକାର ଦିବ୍ୟାଙ୍ଗ ଜନଙ୍କ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଅଠାୱଲେ କହିଥିଲେ। ସରକାର ଦିବ୍ୟାଙ୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ୩ରୁ ୪% ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ୪ ରୁ ୫%କୁ ବୃଦ୍ଧି କରିଛନ୍ତି। ଦିବ୍ୟାଙ୍ଗଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ସୁଗମ୍ୟ ଭାରତ ଯୋଜନା ଆରମ୍ଭ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
୨୦୨୨ରେ ଦେଶ ସ୍ୱାଧୀନତାର ୧୫୦ ବର୍ଷ ପୂର୍ତ୍ତି ହେଉଥିବାରୁ ସମସ୍ତଙ୍କୁ ଆବାସ ଯୋଗାଇବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଅଧିକ ସଂଖ୍ୟକ ପଛୁଆବର୍ଗଙ୍କୁ ଆବାସ ଯୋଜନାରେ ସାମିଲ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସବର୍ଣ୍ଣଙ୍କ କଲ୍ୟାଣ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣ ବର୍ଗଙ୍କ ପାଇଁ ମଧ୍ୟ ୧୦% ସଂରକ୍ଷଣ ଘୋଷଣା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠାୱଲେ ସୂଚନା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories