ନୂଆଦିଲ୍ଲୀ: ଅଭିବୃଦ୍ଧି ଓ ନିରନ୍ତରତା ପ୍ରତି ଭାରତର ପ୍ରତିଶ୍ରୁତିବଦ୍ଧତା ଏବଂ ଆଇସ୍ଲ୍ୟାଣ୍ଡ୍ର ମଜବୁତ୍ ବ୍ୟାବସାୟିକ ଢାଞ୍ଚା ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ବୁଧବାର ରେକ୍ଜାଭିକ୍ଠାରେ ଆଇସ୍ଲ୍ୟାଣ୍ଡ-ଭାରତ ବ୍ୟାବସାୟିକ ଫୋରମରେ କୋବିନ୍ଦ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଫାର୍ମାସି, ସ୍ୱାସ୍ଥ୍ୟସେବା, ଜୈବ କାରିଗରି ବିଦ୍ୟା ଏବଂ ଅର୍ଥ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଭାଗିତା ପରିବ୍ୟାପ୍ତ କରାଯାଇପାରିବ। ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବବୃହତ୍ ଖାଦ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା କଥା ଦର୍ଶାଇ କୋବିନ୍ଦ ଭାରତୀୟ ଖାଦ୍ୟର ବିକ୍ରୟ ପାଇଁ ଅତ୍ୟାଧୁନିକ ପରିବହନ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଏବଂ କାରିଗରି ବିଦ୍ୟାର ଉପଯୋଗ କରିବାକୁ ଆଇସ୍ଲ୍ୟାଣ୍ଡ୍କୁ ଆମନ୍ତ୍ରଣ କରିଛନ୍ତି।
୨୦୩୦ ମସିହା ସୁଦ୍ଧା ପୁନଃ ବ୍ୟବହାରଯୋଗ୍ୟ ଶକ୍ତି କ୍ଷମତାକୁ ୧୭୫ ଜିଗାୱାଟରେ ପରିଣତ କରିବାପାଇଁ ଭାରତ ଲକ୍ଷ୍ୟ ରଖିଥିବା କଥା ସେ ସୂଚନା ଦେଇଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ଓ ଆଇସ୍ଲ୍ୟାଣ୍ଡ୍ ବାଣିଜ୍ୟ ଶିଳ୍ପ ମହାସଂଘ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଆଇସ୍ଲ୍ୟାଣ୍ଡ ରାଷ୍ଟ୍ରପତି ଜୋହନ୍ସୋନ୍ ସେଠାରେ ଉପସ୍ଥିତ ଥିଲେ।



