ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ଟି ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ମୁସଲମାନ ମହିଳା (ବିବାହ ସଂରକ୍ଷଣ ଅଧିକାର) ଦ୍ଵିତୀୟ ଅଧ୍ୟାଦେଶ, ଭାରତୀୟ ଚିକିତ୍ସା ପରିଷଦ (ସଂଶୋଧନ) ଦ୍ଵିତୀୟ ଅଧ୍ୟାଦେଶ, କମ୍ପାନୀ (ସଂଶୋଧନ) ଦ୍ଵିତୀୟ ଅଧ୍ୟାଦେଶ ଏବଂ ଅନିୟମିତ ଜମା ଯୋଜନା ଅଧ୍ୟାଦେଶ, ୨୦୧୯। ମୁସଲମାନ ମହିଳା (ବିବାହ ସଂରକ୍ଷଣ ଅଧିକାର) ପ୍ରଥମ ଅଧ୍ୟାଦେଶକୁ ଜାରି ରଖିବା ନିମନ୍ତେ ଦ୍ଵିତୀୟ ଅଧ୍ୟାଦେଶ ଜାରି କରାଯାଇଥିବା ବେଳେ ଏହି ଅଧ୍ୟାଦେଶ ମାଧ୍ୟମରେ ତିନି ତଲାକକୁ ଅପରାଧ ରୂପେ ବିବେଚନା କରାଯିବ ଏବଂ ଏଥିରେ ତିନି ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଓ ଜରିମାନା ବ୍ୟବସ୍ତା ରହିଛି। ଭାରତୀୟ ଚିକିତ୍ସା ପରିଷଦ (ସଂଶୋଧନ) ଦ୍ଵିତୀୟ ଅଧ୍ୟାଦେଶ ମଧ୍ୟ ପ୍ରଥମ ଅଧ୍ୟାଦେଶ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ୟ୍ୟଗୁଡିକୁ ଜାରି ରଖିବା ବ୍ୟବସ୍ତା ହୋଇଛି। ଏହା ଦ୍ୱାରା ଚିକିତ୍ସା ପରିଷଦର ଶାସନ ବ୍ୟବସ୍ଥାରେ ଅଧିକ ପାରଦର୍ଶିତା ସୁନିଶ୍ଚିତ କରାଯାଇପାରିବ। କମ୍ପାନୀ (ସଂଶୋଧନ) ଦ୍ଵିତୀୟ ଅଧ୍ୟାଦେଶରେ କେନ୍ଦ୍ର ସରକାରଙ୍କୁ ଅଧିକ କ୍ଷମତାପନ୍ନ କରାଯାଇଛି ଯାହା ଦ୍ୱାରା କେତେକ କମ୍ପାନୀକୁ ଟ୍ରିବୁନାଲ ନିର୍ଦ୍ଧାରିତ ବିତ୍ତ ବର୍ଷ ବଦଳରେ ଅଲଗା ବିତ୍ତ ବର୍ଷ ଅନୁମୋଦନ କରାଯାଇ ପାରିବ। ସେହିପରି ଅନିୟମିତ ଜମା ଯୋଜନା ଅଧ୍ୟାଦେଶ, ୨୦୧୯ ଦେଶରେ ଜମା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ରୋକିବା ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି।
Popular Categories



