ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ। ଦେଶବ୍ୟାପୀ କାରଗିଲ ବିଜୟର ୨୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କାରଗିଲ ବିଜୟ ଦିବସ ବାର୍ତ୍ତା ଦେଇଛନ୍ତି। କାରଗିଲ ବିଜୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ତ୍ତା ଦେଇ କହିଛନ୍ତି, ୧୯୯୯ କାରଗିଲ ବିଜୟ ଆମ ବୀର ଯବାନଙ୍କୁ ସ୍ମରଣ କରିବାର ଦିବସ। ଦେଶର ସୁରକ୍ଷା କରିଥିବା ବୀର ଯୋଦ୍ଧାଙ୍କ ଧୈର୍ଯ୍ୟକୁ ଆମେ ସାଲ୍ୟୁଟ କରିବା। କାରଗିଲରେ ଶହୀଦ ଯବାନଙ୍କ ପ୍ରତି ଆମେ ସର୍ବଦା ଋଣୀ ରହିବା।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି, ଭାରତ ମାତାର ସମସ୍ତ ବୀରପୁତ୍ରଙ୍କ ପ୍ରତି ହୃଦୟରୁ ବନ୍ଦନା କରୁଛି। ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ବୀର ଯବାନଙ୍କ ସାହସ, ସମର୍ପଣ ଓ ବୀରତ୍ଵ ଆମକୁ ସ୍ମରଣ କରାଇଥାଏ ବୋଲି ମୋଦୀ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।



