www.samajalive.in
Tuesday, December 9, 2025
17.1 C
Bhubaneswar

ବିଜୁଳି ବିଭ୍ରାଟ ପାଇଁ ଇଡ୍‌କୋ ଦାୟୀ

ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୬ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ୯ ମିନିଟ୍‌‌ ଅନ୍ଧାରରେ ଅଭିଭାଷଣ ରଖିଥିଲେ। ଅନ୍ଧାରରେ ସମ୍ମିଳନୀ କକ୍ଷରେ ଦର୍ଶକଙ୍କ ସମେତ ସୁରକ୍ଷାକର୍ମୀ ଓ ପୁଲିସ ଅଧିକାରୀ ପରସ୍ପରକୁ ଦେଖି ପାରୁନଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଭାରତର ପ୍ରଥମ ନାଗରିକଙ୍କ ସୁରକ୍ଷା ପ୍ରତି ଏହିଭଳି ଅପମାନଜନକ ଅବହେଳାକୁ ନେଇ ସମଗ୍ର ଦେଶରେ ସମାଲୋଚନା ହୋଇଛି। ଏ ସମ୍ପର୍କରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ତଦନୁଯାୟୀ ଶୁକ୍ରବାର କୁଳପତି ପ୍ରଫେସର ତ୍ରିପାଠୀ ରାଜ୍ୟପାଳ ତଥା କୁଳାଧିପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରିପୋର୍ଟରେ ଏହି ବିଭ୍ରାଟ ପାଇଁ ଇଡ୍‌‌କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯିବା ସହିତ ଠିକ୍‌‌ ସମୟରେ ପ୍ୟାନେଲ ବୋର୍ଡ ନିକଟରେ ପହଞ୍ଚିଥିଲେ ଏହି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି କୁହାଯାଇଛି। କାରଣ ସେଠାରେ ଗୋଟିଏ ମିନିଟ୍‌‌ ମଧ୍ୟରେ ବିଦ୍ୟୁତ୍‌‌ ସଂଯୋଗ ସମ୍ଭବ ହୋଇପାରିଥାନ୍ତା। ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମ ସକାଶେ ବିଶ୍ୱବିଦ୍ୟାଳୟକୁ କେବଳ ପ୍ରେକ୍ଷାଗୃହର ମଞ୍ଚ ଓ ବସିବା ବ୍ୟବସ୍ଥା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହାବାଦ ସମସ୍ତ ଦାୟିତ୍ୱ ଜିଲା ଓ ପୁଲିସ ପ୍ରଶାସନର ରହିଥିଲା। ଏଣୁ ଏଭଳି ପରିସ୍ଥିତି ପାଇଁ ଜିଲା ପ୍ରଶାସନ ଓ ପୁଲିସ ମଧ୍ୟ ଦାୟୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୁରକ୍ଷା ଦୃଷ୍ଟିକୋଣରୁ ଜରୁରୀକାଳୀନ ମୋବାଇଲ କଟକଣା ମଧ୍ୟ ରହିଥିଲା। ଇଡ୍‌‌କୋର ଆଠଜଣ ଓ ଟିପିଏନ୍‌ଓଡିଏଲ୍‌ର ଚାରି ଜଣଙ୍କୁ ସ୍ୱତନ୍ତ୍ରଭାବେ ପ୍ରବେଶ ପତ୍ର ଦିଆଯାଇଥିଲେ ମଧ୍ୟ ସେମାନେ ଘଟଣା ସ୍ଥଳରେ ନଥିଲେ। ପ୍ରେକ୍ଷାଗୃହର କେବଳ ମାଇକ୍‌‌ କାମ କରୁଥିବା ବେଳେ ଭିତର ସମ୍ପୂର୍ଣ୍ଣ ଅନ୍ଧାର ଥିଲା। ଏଥିପାଇଁ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌‌ କର୍ମଚାରୀଙ୍କୁ ଘଟଣା ଦିନ ହିଁ କୁଳପତି କାର୍ଯ୍ୟରୁ ନିଲମ୍ବନ କରିଥିଲେ। ତଥାପି ଏ ସମସ୍ତ ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ଉଲ୍ଲେଖ କରାଯାଇଛି।
କୁଳପତି ପ୍ରଫେସର ତ୍ରିପାଠୀଙ୍କ ପକ୍ଷରୁ ଘଟଣା ଦିନ ହିଁ ବିଦ୍ୟୁତ୍‌‌ ବିଭ୍ରାଟ ସମ୍ପର୍କରେ ତଦନ୍ତ ସକାଶେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, କୁଳସଚିବ ସହଦେବ ସମାଧିଆ ଓ ବିଶ୍ୱବିଦ୍ୟାଳୟ ଉନ୍ନୟନ ଅଧିକାରୀ ପ୍ରଫେସର ବସନ୍ତ କୁମାର ମହାନ୍ତିଙ୍କୁ ନେଇ ଏକ ତିନିଜଣିଆ କମିଟି ଗଠନ କରାଯାଇଥିଲା। ସାତଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସକାଶେ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ଏହି କମିଟି ପକ୍ଷରୁ କୁଳପତିଙ୍କୁ ଶୁକ୍ରବାର ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ମିଳିବା ପରେ କୁଳପତି ପ୍ରଫେସର ତ୍ରିପାଠୀ ରାଜ୍ୟପାଳ ତଥା କୁଳାଧିପତିଙ୍କୁ ରିପୋର୍ଟ ପଠାଇଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories