ଆଜିଠୁ ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ

ମୟୂରଭଞ୍ଜ ଏବଂ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ, ୨୨ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତୀ ଗସ୍ତ

ଭୁବନେଶ୍ବର :  ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲାରେ ୨୦ ଓ ୨୧ ତାରିଖ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ବେଳେ ୨୧ ଓ ୨୨ରେ ସମ୍ବଲପୁରର ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।
୨୦ରେ ରାଷ୍ଟ୍ରପତି ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଏବଂ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ। ମୟୂରଭଞ୍ଜ ଜିଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ରାଷ୍ଟ୍ରପତି ମୟୂରଭଞ୍ଜର ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବାକୁ ଥିବାବେଳେ ବାଦାମପାହାଡ ରେଳ ଷ୍ଟେସନରେ ୩ଟି ନୂଆ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଏହି ରେଳଗୁଡିକ ହେଲା, ବାଦାମପାହାଡ-ଟାଟାନଗର ମେମୁ ରେଳ, ବାଦାମପାହାଡ-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍‌ ଏବଂ ବାଦାମପାହାଡ-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍‌। ଏଥିସହିତ ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍‌ଘାଟନ କରାଯିବ। ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବାକୁ ଥିବାବେଳେ ବାଦାମପାହାଡ ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଶିଳାନ୍ୟାସ କରିବେ। ପରେ ରାଷ୍ଟ୍ରପତି ବାଦାମପାହାଡ-ଶାଲିମାର ଏକ୍ସପ୍ରେସ୍‌ରେ ବାଦାମପାହାଡଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି
ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ। ଆସନ୍ତା ୨୨ ତାରିଖରେ ସମ୍ବଲପୁରଠାରେ ବ୍ରହ୍ମାକୁମାରୀ ସଂସ୍ଥା ଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହାପରେ ସେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାବେଳେ ସେଠାରେ ଶ୍ରୀ ସତ୍ୟସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୋମବାର ନୂଆଦିଲ୍ଲୀରୁ ବାୟୁସେନା ସ୍ବତନ୍ତ୍ର ବିମାନ ଯୋଗେ ବାହାରି ପଶ୍ଚିମବଙ୍ଗର କଲେଇକୁଣ୍ଡାଠାରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ଅପରାହ୍ଣ ୨ଟାରେ ବାରିପଦାରେ ଅବତରଣ କରିବେ। ଏହା ପରେ ସେ ସ୍ଥାନୀୟ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀକୁ ଉଦ୍‌‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଠାରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଅପରାହ୍ଣ ୫ଟା ୩୦ ମିନିଟରେ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ। ସେଠାରେ ସର୍କିଟ ହାଉସଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁର ଡାକ ବଙ୍ଗଳାଠାରେ ସ୍ଥାନୀୟ ଜନସାଧାରଣଙ୍କୁ ଭେଟିବେ। ଏହାପରେ ରାଇରଙ୍ଗପୁରସ୍ଥିତ ତାଙ୍କ ନିଜ ବାସଭବନରେ ବିଶ୍ରାମ ନେବେ। ୨୧ ତାରିଖ ସକାଳ ୮ଟାରେ ରାଷ୍ଟ୍ରପତି ସଡକ ପଥରେ ୨୧ କିଲୋମିଟର ଯାତ୍ରା କରି ତାଙ୍କ ନିଜ ଶାଶୂଘର ଗ୍ରାମ ପାହାଡ଼ପୁର ଯିବେ। ସେଠାରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦ୍‌‌ଘାଟନ କରିବେ ଏବଂ ଏସ୍‌ଏଲ୍‌ଏସ୍‌ ସ୍କୁଲ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ୨୧ ତାରିଖ ସକାଳେ ରାଷ୍ଟ୍ରପତି ପାହାଡ଼ପୁରରୁ ବାହାରି ବାଦାମପାହାଡ଼ ରେଳ ଷ୍ଟେସନରେ ପହଞ୍ଚିବେ। ନୂଆ ରେଳ ଲୋକାର୍ପଣ କରିବା ପରେ ରାଷ୍ଟ୍ରପତି ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ରେଳ ଯୋଗେ ଯାତ୍ରା କରି ପୂର୍ବାହ୍ଣ ୧୧ଟା ୫୫ରେ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ଅପରାହ୍ଣ ୧ଟା ୨୦ମିନିଟ୍‌ରେ ବୁର୍ଲାରେ ପହଞ୍ଚିବା ପରେ ଅପରାହ୍ଣ ୪ଟା ୧୦ ମିନିଟ୍‌ରେ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନ ଅର୍ଥାତ ୨୨ରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବେ। ସେହିଦିନ ପୂର୍ବାହ୍ଣ ୧୧ଟା ୫ମିନିଟରେ ସେ ଝାରସୁଗୁଡା ବିମାନ ବନ୍ଦରରୁ ସ୍ବତନ୍ତ୍ର ବାୟୁସେନା ବିମାନ ଦ୍ବାରା ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସୂଚନାଯୋଗ୍ୟ, ଚଳିତ ମାସ ୨୭ରେ ରାଷ୍ଟ୍ରପତି ଦ୍ବିତୀୟ ଥର ପାଇଁ ପାରାଦ୍ବୀପ ଆସି ବନ୍ଦର ପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.