www.samajalive.in
Saturday, December 6, 2025
26.1 C
Bhubaneswar

ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁୁରୀ/ଭଦ୍ରକ/ଭୁବନେଶ୍ବର: ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଶୈବପୀଠ। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି, ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଭୁବନେଶ୍ବରର ଶ୍ରୀଲିଙ୍ଗରାଜଙ୍କ ପୀଠ ଜାଗର ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଛି। ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଙ୍ଗାଯମୁନାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକୋଡ଼ ନିର୍ମାଣ ହୋଇଛି। ଖରାକୁ ଦୃଷ୍ଟିରେ ରଖି ବ୍ୟାରିକେଡ଼ ଉପରେ କପଡ଼ା ସିଲିଂ ସହ ତଳେ କାର୍ପେଟ ବିଛାଯାଇଛି। ଏଏସଆଇ ପକ୍ଷରୁ ମନ୍ଦିର ସିଂହଦ୍ବାର କବାଟ ସଫା କରାଯିବା ସହ ମନ୍ଦିରରେ ରଙ୍ଗବୋଳା ଯାଇଛି। ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ଜଣେ ଉପାୟୁକ୍ତଙ୍କ ନେତୃତ୍ବରେ ୬ ଅତିରିକ୍ତ ଉପାୟୁକ୍ତ, ୧୨ ଏସିପି, ଏସଆଇ/ଏଏସଆଇ ୮୬ଙ୍କୁ ମିଶାଇ ୧୨୪ ଅଫିସର, କନଷ୍ଟେବଳ ୬୧, ମହିଳା କନଷ୍ଟେବଳ ୩୮, ୩୪ ପ୍ଲାଟୁନ ଫୋର୍ସ ଓ ୧୦୨ ହୋମଗାର୍ଡ଼ ମୁତୟନ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ୧୪ଟି ସ୍ଥାନରେ ଯାନ ପାର୍କିଂ ବ୍ୟବସ୍ଥା କରାଯାଇଛି। ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ।

- Advertisement -

ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଗତକାଲି ପଙ୍କୋଦ୍ଧାର ଏକାଦଶୀରେ ଗମ୍ଭୀରାରୁ ପଙ୍କ କଢ଼ାଯିବା ସହ ଶ୍ରଦ୍ଧାଳୁମାନେ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ। ଶ୍ରୀଲୋକନାଥ ଟ୍ରଷ୍ଟ ବୋର୍ଡ଼, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ବେଢ଼ା ଭିତରେ ଓ ବାହାରେ ଟେଣ୍ଟ ଓ ଛାମୁଣ୍ଡିଆ ବନ୍ଧା ଯାଇଛି। ପାର୍ବତୀ ସାଗର କୂଳରେ ବିଶ୍ୱଶାନ୍ତି ପାଇଁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଦୀପ ପ୍ରଜ୍ୱଳନ କରାଯାଇଛି। ଆସନ୍ତାକାଲି ହରିହର ଭେଟ ପରେ ମହାଦୀପ ଉଠିବ। ଜାଗର ପଦାରେ ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କ ଅସ୍ଥାୟୀ ଦୋକାନ ଗୃହ ନିର୍ମାଣ କରିସାରିଲେଣି। ଶୃଙ୍ଖଳିତ ନୀତି ପାଇଁ ଶ୍ରୀଲୋକନାଥଙ୍କ ସେବାୟତମାନେ ତତ୍ପର ହୋଇଉଠିଛନ୍ତି। ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ପାଇଁ ଷ୍ଟଲ୍‌‌ ଖୋଲାଯାଇଛି।

ସେହିପରି ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ଜାଗରଯାତ୍ରା ନିମନ୍ତେ ଭଦ୍ରକ ଆରଡ଼ି ସ୍ଥିତ ଶ୍ରୀଆଖଣ୍ଡଳମଣି ପୀଠରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାବା ଆଖଣ୍ଡଳମଣିଙ୍କ ଜାଗର ନୀତିକାନ୍ତି ଅନୁଯାୟୀ, ଭୋର୍‌‌ ୪ଟାରେ ମଙ୍ଗଳ ଆଳତୀ, ୪ଟା ୩୦ରେ କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି, ଭୋର ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡ଼ି ଓ ଅନ୍ନନୀତି ଭୋଗଲାଗି। ସକାଳ ୫ଟାରୁ ରାତି ୧୧ଟା ସର୍ବସାଧାରଣ ଦର୍ଶନ। ସନ୍ଧ୍ୟା ୬ଟାରେ ପ୍ରଥମ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା, ରାତି ୮ଟାରେ ଦ୍ୱିତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ମଧୁସ୍ନାନ, ପଞ୍ଚ ଉପଚାର ପୂଜା ଅନୁଷ୍ଠିତ ହେବ। ସେହିପରି ରାତି ୧୦ଟାରେ ତୃତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ଦୁଗ୍ଧ ସ୍ନାନ, ପଞ୍ଚ ଉପଚାର ପୂଜା ଅନୁଷ୍ଠିତ ହେବ। ଏହାପରେ ରାତି ୧୧ଟାରେ ଚତୁର୍ଥ ପ୍ରହର ପୂଜା, ଘୃତ ସ୍ନାନ, ଘର୍ଷଣ ଲାଗି, ୧୦୮ କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ଅନୁଷ୍ଠିତ ହେବ। ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ରେ ସୁନାବେଶ ସମ୍ପନ୍ନ ହେବ। ଏହାପରେ ସର୍ବସାଧାରଣ ଦର୍ଶନ, ରାତି ୨ଟାରେ ମହାଦୀପ ପ୍ରସ୍ତୁତି, ରାତି ୩ଟା ୧୫ରେ ମହାଦୀପ ଷୋଡ଼ଶ ଉପଚାରରେ ପୂଜା, ପ୍ରତିଷ୍ଠା, ଅଗ୍ନି ସଂଯୋଗ, ଯଜ୍ଞ, ଭୋର ୪ଟାରେ ମହଦୀପ ବେଢ଼ା ପରିକ୍ରମା ଏବଂ ଭୋର୍‌‌ ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories