କାର୍ଯ୍ୟକାରୀ ହେଲାନି ରାଜ୍ୟ ପଞ୍ଚମ ଅର୍ଥ ଆୟୋଗଙ୍କ ସୁପାରିସ

ପୌର-ପଞ୍ଚାୟତ ନିର୍ବାଚନ ପାଇଁ ସରକାରଙ୍କ ସଜବାଜ

ଭୁବନେଶ୍ବର : ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ଗୋଟିଏ ପଟେ ପୌର ନିର୍ବାଚନ ବିଳମ୍ବ ହେଉଥିବାବେଳେ ଏଥିଯୋଗୁଁ କାଳେ ପଞ୍ଚାୟତ ନିର୍ବାଚନ ଅଧିକ ବିଳମ୍ବ ହେବ ସେ ନେଇ ବିରୋଧୀଙ୍କ ବିରୋଧାଭାସ ଲାଗି ରହିଛି। ଏହାକୁ ନେଇ ଅନେକ ସମୟରେ ଶାସକ ବିରୋଧୀ ଟଣାଓଟରା ହେଉଛନ୍ତି। ଯଦି ପାଣିପାଗ ଠିକ୍ ରୁହେ ତେବେ ସରକାର ୨୦୨୨ ମାର୍ଚ୍ଚରେ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଓହ୍ଲାଇ ପାରନ୍ତି। ହେଲେ ଏହାପୂର୍ବରୁ ସବୁ ପୌର ଏବଂ ପଞ୍ଚାୟତରେ ଯେଉଁସବୁ ମୌଳିକ ସୁବିଧା ଉପଲବ୍ଧ ହେବା କଥା ତାହା ହୋଇ ପାରିଲା ନାହିଁ। ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ରାଜ୍ୟ ସରକାରଙ୍କୁ ଯେଉଁସବୁ ସୁପାରିସ କରିଥିଲେ ତାହା କେବଳ କାଗଜ କଲମରେ ସୀମିତ ରହିଛି। ଟଙ୍କା ଖର୍ଚ୍ଚ ହେଉଛି ହେଲେ ମୌଳିକ ସମସ୍ୟାର ସମାଧାନ ହେଉ ନ ଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଅର୍ଥ ଆୟୋଗଙ୍କ ସୁପାରିସକୁ ଠିକଣା ଭାବେ ପାଳନ କରୁ ନ ଥିବାରୁ ଏହାକୁ କିଭଳି ପାଳନ କରାଯିବ ସେ ନେଇ ପଞ୍ଚମ ଅର୍ଥ ଆୟୋଗ ରବିନାରାୟଣ ସେନାପତିଙ୍କ ଦଳ ପକ୍ଷରୁ ସରକାରଙ୍କୁ ସୁପାରିସରେ ଦର୍ଶାଯାଇଥିଲା। ଯେଉଁସବୁ ପଞ୍ଚାୟତରେ ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ ସୁବିଧା ନାହିଁ ସେଠାରେ ତୁରନ୍ତ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲାଯାଇ ସମୂହ ସେବା ଯୋଗାଇବାକୁ କୁହାଯାଇଥିଲା। ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ୪ହଜାର ୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଏବଂ ଇଣ୍ଟରନେଟ୍ ସୁବିଧା ନାହିଁ। ଯାହାଫଳରେ ଲୋକେ ସେମାନଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଯଦି ପଞ୍ଚାୟତସ୍ତରରେ ଆନୁଷ୍ଠାନିକ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ମାନବ ସମ୍ବଳର ସୁବିନିଯୋଗ ହୋଇପାରନ୍ତା ତେବେ ରାଜ୍ୟବାସୀ ବହୁ ଉପକୃତ ହୋଇପାରନ୍ତେ। ଏହାକୁ ଦୃ‌ଷ୍ଟିରେ ରଖି ଏହି ଦୁଇଟି ବିଭାଗ ସହିତ ଅନ୍ୟାନ୍ୟ ବିଭାଗଗୁଡିକ କିଭଳି ରାଜ୍ୟ ସରକାରଙ୍କ ଅର୍ଥ ବିନିଯୋଗ କରିବେ ସେ ନେଇ ରାଜ୍ୟ ପଞ୍ଚମ ଅର୍ଥ କମିସନ ସରକାରଙ୍କୁ ୫୫ଟି ଦିଗରେ ସୁପାରିସ କରିଥିଲେ।
ଆୟୋଗ ପଞ୍ଚାୟତିରାଜ ବିଭାଗ ପାଇଁ ୫ ହଜାର ୫୪କୋଟି ଟଙ୍କା ଓ ୧୧୪ ପୌରାଞ୍ଚଳ ଓ ୫ ମହାନଗର ନିଗମ ପାଇଁ ୧୮୦୦କୋଟି ଟଙ୍କା ସୁପାରିସ କରିଥିଲେ। ଏଥିରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ବିଶୁଦ୍ଧ ପାନୀୟ ଜଳଯୋଗାଣ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଗ୍ରାମ୍ୟହାଟର ଉନ୍ନତି, ଜଳସଂରକ୍ଷଣ ବ୍ୟବସ୍ଥା, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେବା ଭଳି ସୁପାରିସ ରହିଥିଲା। ଏହାସହିତ ପଞ୍ଚାୟତ ଓ ପୌରାଞ୍ଚଳରେ କିଭଳି ରାଜସ୍ବ ସୃଷ୍ଟି ହୋଇ ପାରିବ ତାହାର ସୂତ୍ର ରହିଥିଲା। ଆ‌େ‌ୟାଗଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଯଦି ପଞ୍ଚାୟତ ପ୍ରତିନିଧିମାନେ ତାଲିମପ୍ରାପ୍ତ ହେବେ ତେବେ ସରକାରଙ୍କ ସମସ୍ତ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ଏବଂ ଠିକାଦାରମାନେ ଏଥିରେ ତଞ୍ଚକତା କରିପାରିବେ ନାହିଁ। ଆୟବ୍ୟୟର ଠିକ୍ ହିସାବ ରହିପାରିବ। ସେହିପରି ଗ୍ରାମାଞ୍ଚଳରେ କଠିନବର୍ଜ୍ୟର ସୁପରିଚାଳନା ହେଉ ନ ଥିବାରୁ ବାୟୁ ପ୍ରଦୂଷଣ ବଢ଼ୁଛି। ଏହାକୁ ଦୃ‌ଷ୍ଟିରେ ରଖି ତାମିଲନାଡୁ ଢାଞ୍ଚାରେ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା ଏବଂ ସବୁ ପଞ୍ଚାୟତରେ କିଭଳି ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇପାରିବ ତାକୁ ଗୁରୁତ୍ବ ଦେବାକୁ ଆୟୋଗ ସୁପାରିସ କରିଥିଲେ। ଏହାବାଦ୍ ଯେପର୍ଯ୍ୟନ୍ତ ସବୁ ପଞ୍ଚାୟତକୁ ନେଟୱାର୍କ ସୁବିଧା ମିଳିପାରି ନାହିଁ ବା ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇନାହିଁ ସେପର୍ଯ୍ୟନ୍ତ ପଞ୍ଚାୟତର ସର୍ବାଙ୍ଗୀଣ ବିକାଶ ଅସମ୍ଭବ। ଏସବୁ ବାଦ୍ ପଞ୍ଚାୟତ ଖଜଣା ଆଦାୟ କରି କିଭଳି ନିଜର ରାଜସ୍ବ କ୍ଷମତା ବଢ଼ାଇ ପାରିବ ତା’ ଉପରେ ମଧ୍ୟ କମିସନ ଗୁରୁତ୍ବାରୋପ କରିଥିଲେ। ଆୟୋଗଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ବିଭିନ୍ନ ନୂତନ ଉତ୍ସ ବାହାର କରିବାର ଆବଶ୍ୟକତା ରହିଛି। କୋଠାବାଡି ଯୋଜନା ଅନୁମୋଦନ, ପାର୍କିଂ ହେଉ କିମ୍ବା ସମ୍ପତ୍ତି ବା ବିଭିନ୍ନ ଶକ୍ତି ଶିଳ୍ପସଂସ୍ଥା ଓ ଘରୋଇ ଚିକିତ୍ସାଳୟରୁ ଟିକସ ଆଦାୟ କରିପାରିବେ। ସେହିପରି ନଗର ଉନ୍ନୟନ ବିଭାଗକୁ ଅର୍ଥ ଆୟୋଗ ମଧ୍ୟ ଅନୁରୂପ ଭାବେ କେ‌େ‌ତକ ଦିଗ ଉପରେ ଗୁରୁତ୍ବ ଦେବାକୁ ସୁପାରିସ କରିଥିଲେ। ରାଜ୍ୟରେ କାର୍ଯ୍ୟ କରୁଥିବା ‘ସୁଡା’ର ଅତ୍ୟାଧୁନିକୀକରଣ ହେବାର ଆବଶ୍ୟକତା ରହିଛି। ସରକାର ବିଭିନ୍ନ ଯୋଜନା ପ୍ରଣୟନ ବେଳେ ଯେଉଁସବୁ ତାଲିମ ଦେବାର ଅାବଶ୍ୟକତା ରହିଛି ବା ଗୁଣବତ୍ତା ମାନବ ସମ୍ବଳ ବାହାରିବା କଥା ତାହାକୁ କାର୍ଯ୍ୟକାରୀ କରିବାରେ ସୁଡ଼ା ସକ୍ଷମ ହେଉନାହିଁ। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ଇ-ଗଭର୍ଣ୍ଣାନ୍ସ ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ। ଅନ୍ୟପକ୍ଷରେ ପୌରସଂସ୍ଥାରେ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବାର ସୁଯୋଗ ରହିଥିଲେ ମଧ୍ୟ ତାହା କରାଯାଉନାହିଁ। ପୌରସଂସ୍ଥାର ନିଜସ୍ବ ରାଜସ୍ବ ବୃଦ୍ଧି କରାଯାଇପାରିଲେ ପୌରାଞ୍ଚଳବାସୀଙ୍କୁ ସରକାରଙ୍କ ସୁବିଧା ସୁଯୋଗ ସହ ଅନ୍ୟାନ୍ୟ ସୁଖ ସ୍ବାଚ୍ଛନ୍ଦ୍ୟ ମିଳିପାରନ୍ତା। ଏଥିପାଇଁ ସମ୍ପତ୍ତି ଟିକସଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଓ ପାର୍କିଂ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ଆୟୋଗ ଦର୍ଶାଇଥିଲେ। ହେଲେ ଅଧିକାଂଶ ପୌରାଞ୍ଚଳରେ ଆୟୋଗଙ୍କ ନିର୍ଦେଶ କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ଜଣାଯାଇଛି।

Comments are closed.