www.samajalive.in
Tuesday, December 9, 2025
16.1 C
Bhubaneswar

ଆରମ୍ଭ ହେଲା ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ – ଧ୍ରୁବ’

ବେଙ୍ଗାଲୁର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ବେଙ୍ଗାଲୁରସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିସରରୁ ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଧ୍ରୁବ ଅସାଧାରଣ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନର ମୋଡ଼ ବଦଳାଇ ଦେବ ଓ ମେଧାବୀ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ଲାଗି ମଂଚ ଯୋଗାଇ ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜ୍ଞାନ, କଳା, ସୃଜନଶୀଳ ରଚନା ଆଦି ନିଜ ପସନ୍ଦର କ୍ଷେତ୍ରରେ ସେମାନେ ଉତ୍କର୍ଷ ହାସଲ ଲାଗି ସହାୟତା ପାଇପାରିବେ।

ଆୟୋଜିତ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ, ଭାରତର ପ୍ରଥମ ମହାକାଶଚାରୀ ୱିଙ୍ଗ କମାଣ୍ଡର ରାକେଶ ଶର୍ମା, ଅଟଳ ଇନୋଭେସନ ମିଶନ ନିର୍ଦ୍ଦେଶକ ଆର. ରମଣନ ଉପସ୍ଥିତ ଥିଲେ। ଧ୍ରୁବ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚୟନ ହୋଇଥିବା ୬୦ଜଣ ପ୍ରତିଭାବାନ ବିଦ୍ୟାର୍ଥୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟାର୍ଥୀମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଡ. ଶିବନ ଓ ରାକେଶ ଶର୍ମାଙ୍କ ଠାରୁ ସେମାନଙ୍କ ଜୀବନ ଅନୁଭୂତି, ସଂଘର୍ଷ ଓ ସଫଳତା ବିଷୟରେ ଜାଣିବାକୁ ପାଇଥିଲେ।

- Advertisement -

ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଠାରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶନ କରାଯାଇ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ବିକଶିତ କରିବାରେ ସହାୟତା ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନିଶଙ୍କ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଏବଂ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ନେଇ ସେ ବହୁତ ଖୁସି।

କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଛନ୍ତି ଯେ ଆମେ କଳା ଓ ବିଜ୍ଞାନ କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଏକତ୍ର ଏହି କାର୍ଯ୍ୟକ୍ରମରେ ସାମିଲ କରିଛୁ। ସାରା ଦେଶରୁ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଥିବାରୁ ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରତିଫଳିତ କରୁଛି। କେନ୍ଦ୍ରମନ୍ତ୍ରୀ ଏହି ଧ୍ରୁବ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାର୍ଥୀ ପ୍ରତିଭାର ବିକାଶ ଲାଗି ସୁଯୋଗ ପାଇବା ସହିତ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ଭାବକ ହୋଇପାରିବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମର ସଫଳତା ଦ୍ୱାରା ସାରା ଦେଶର ୩୩ କୋଟି ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇପାରିବେ।

ଧ୍ରୁବ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚରେ ୬୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି କ୍ଷେତ୍ର କଳା ଏବଂ ବିଜ୍ଞାନ ଲାଗି ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ସାରା ଦେଶରେ ଥିବା ବିଭିନ୍ନ ଘରୋଇ ଏବଂ ସରକାରୀ ସ୍କୁଲର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଛି। ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏହି ଛାତ୍ରଛାତ୍ରୀଙ୍କ ଲାଗି ଏକ ୧୪ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତ୍ୟେକ କ୍ଷେତ୍ରର ୩୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ୧୦ ଜଣିଆ ତିନିଟି ଲେଖାଏଁ ଗ୍ରୁପ ଗଠନ କରାଯାଇଥିଲା। ବିଜ୍ଞାନ ବିଷୟର ଛାତ୍ରଛାତ୍ରୀ ଜଣେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପ୍ରକଳ୍ପ ପ୍ରଦର୍ଶନ କରିବେ। ସେହିପରି କଳା କ୍ଷେତ୍ରର ଛାତ୍ରଛାତ୍ରୀ ସଂସ୍କୃତି ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦୁଇଟି କ୍ଷେତ୍ରର ୬ଟି ଟିମକୁ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଯଥା ଜଳବାୟୁ ପରିବର୍ତନ, ପ୍ରଦୂଷଣ, ଆତଙ୍କବାଦ ଆଦି ବିଷୟବସ୍ତୁ ଉପରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦିଆଯିବ। ଏହି ଛାତ୍ରଛାତ୍ରୀ ୧୪ରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ ଆଇଆଇଟି ଏବଂ ଜାତୀୟ ବାଲ ଭବନ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅକ୍ଟୋବର ୨୩ ତାରିଖରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ୬ଟି ଗ୍ରୁପ ଉପରୋକ୍ତ ବିଷୟବସ୍ତୁ ଉପରେ ସେମାନଙ୍କ ପ୍ରକଳ୍ପ/କଳା ପ୍ରଦର୍ଶନ କରିବେ। ପରବର୍ତୀ ସମୟରେ ଅନ୍ୟାନ୍ୟ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories