ୱାଶିଂଟନ: ଶସ୍ତା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଚୀନର ବିଶ୍ବବ୍ୟାପୀ ପ୍ରସିଦ୍ଧି ଅଛି । ସାରା ବିଶ୍ବରେ ଚୀନ ସାମଗ୍ରୀର ଚାହିଦା ଅଛି । ମାତ୍ର କରୋନା ମହାମାରୀ ସମୟରେ ବି ନିଜ ବେପାର ଛାଡ଼ିନାହିଁ ଚୀନ । ଏପରିକି ନିଜ ଆବଶ୍ୟକତାଠାରୁ ଢ଼େର ଅଧିକ ସାମଗ୍ରୀ କିଣି ଏବେ ଚଢ଼ା ଦରରେ ବିଶ୍ବର ବିଭିନ୍ନ ଦେଶକୁ ଚୀନ ବିକ୍ରି କରୁଥିବା ଅଭିଯୋଗ ମିଳିଛି । କେବଳ ଅଭିଯୋଗ ନୁହେଁ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏ ସଂକ୍ରାନ୍ତରେ ସାଂଘାତିକ ଅଭିଯୋଗ ଆଣିଛି । ଚୀନ୍ ଜାନୁଆରୀ ଓ ଫେବ୍ରୁଆରୀରେ ନିଜ ଆବଶ୍ୟକତାଠାରୁ ୧୮ ଗୁଣ ଅଧିକ ପିପିଇ କିଟ୍ ସାରା ବିଶ୍ବର ବିଭିନ୍ନ ଦେଶରୁ ଆମଦାନୀ କରିଛି ଏବଂ ଏବେ ଏହାକୁ ଚଢ଼ା ଦରରେ ସେହି ଦେଶମାନଙ୍କୁ ବିକ୍ରି କରୁଛି ବୋଲି ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ।
ଏଫବିଏନ୍ (ଫକ୍ସ ବିଜିନେସ ନ୍ୟୁଜ)କୁ ସାକ୍ଷାତକାର ଦେଇ ହ୍ବାଇଟହାଉସ ଟି ଏଣ୍ଡ ଏମ୍ (ଟ୍ରେଡ଼୍ ଏଣ୍ଡ ମ୍ୟାନୁଫାକଚରିଂ) ନିର୍ଦେଶକ ପିଟର ନାଭାରୋ କହିଛନ୍ତି ଯେ ଆମେରିକା, ଭାରତ ଓ ବ୍ରାଜିଲ ପରି ଦେଶ ନିକଟରେ ଏବେ ପିପିଇ କିଟ୍ ଗଚ୍ଛିତ ନାହିଁ; କାରଣ ପୂର୍ବରୁ ଚୀନ ଏହାକୁ ବେପାର ପାଇଁ ଗଚ୍ଛିତ ରଖିଛି । ଏ ସଂକ୍ରାନ୍ତରେ ଆମ ନିକଟରେ ପ୍ରମାଣ ଅଛି । ଚୀନ ସରକାରଙ୍କ ବର୍ହିଶୁଳ୍କ ୟୁନିୟନ ରିପୋର୍ଟ ଅନୁସାରେ କେବଳ ଜାନୁଆରୀ ଓ ଫେବ୍ରୁଆରୀରେ ଚୀନ ୧୮ ଗୁଣ ମାସ୍କ, ପିପିଇ କିଟ୍ ଆମଦାନୀ କରିଛି । ଚୀନ ନିକଟରେ ଏବେ ପ୍ରାୟ ୨ ବିଲିଅନ ମାସ୍କ ରହିଛି ଓ ସମ ପରିମାଣର ଗ୍ଲୋଭ୍ସ ଓ ଚଷମା ଗଚ୍ଛିତ ଅଛି । ଏହି କାରଣରୁ ୟୁରୋପ, ଭାରତ, ବ୍ରାଜିଲ ଓ ଅନ୍ୟ ଦେଶଗୁଡ଼ିକ ଆବଶ୍ୟକୀୟ ପିପିଇ କିଟ୍ ପାଉ ନାହାନ୍ତି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କତା ହେଉଛି ଏବେ ଚୀନ୍ ସେହି ସାମଗ୍ରୀକୁ ଚଢ଼ା ଦରରେ ଅନ୍ୟ ଦେଶକୁ ବିକ୍ରି କରୁଛି ।
ନାଭାରୋ କହିଛନ୍ତି ଯେ ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ।
କରୋନାକୁ ନେଇ ଚୀନର ବେପାର; ଆମେରିକା ଆଣିଲା ସାଙ୍ଘାତିକ ଅଭିଯୋଗ
Popular Categories



