ହତ୍ୟା ମାମଲାରେ ସମ୍ପୃକ୍ତ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକ୍ ଆଉଟ୍ ସର୍କୁଲାର (ଏଲଓସି) ଜାରି କରିଛି। ୨୩ ବର୍ଷୀୟ କନିଷ୍ଠ କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡରେ ସୁଶୀଲଙ୍କ ନାମ ସାମ୍ନାକୁ ଆସିବା ପରଠାରୁ ସେ ଫେରାର ରହିଛନ୍ତି। ପୁଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଫଳ ହେବା ପରେ ଏଲଓସି ଜାରି କରିଛି।
କିଛିଦିନ ତଳେ ଛତ୍ରସାଲ ଷ୍ଟାଡ଼ିୟମ ନିକଟରେ ଦୁଇ ଗୋଷ୍ଠୀର କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଜାତୀୟ ସ୍ତରର କୁସ୍ତିଯୋଦ୍ଧା ସାଗର ଛତ୍ରସାଲ ଷ୍ଟାଡ଼ିୟମ ନିକଟ ଏକ କୋଠାରେ ରହୁଥିଲେ। ସେହି କୋଠାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି କାରଣରୁ ସୁଶୀଲ ଏବଂ ତାଙ୍କ ସହଯୋଗୀମାନେ ସାଗର ଏବଂ ତାଙ୍କ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟିବା ସହିତ ଗୁଳିକାଣ୍ଡ ହୋଇଥିଲା। ଏଥିରେ ସାଗରଙ୍କର ମୃତ୍ୟୁ ଘଟିଥିଲା। ସାଗରଙ୍କ ୪ ସହଯୋଗୀ ଗୁରୁତର ଆହତ ହୋଇଥିଲେ। ପୀଡ଼ିତମାନେ କହିଥିଲେ ଯେ ସୁଶୀଲ ଏବଂ ତାଙ୍କ ସହଯୋଗୀମାନେ ସାଗରଙ୍କୁ ତାଙ୍କ ଘରୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ସେବେଠାରୁ ସୁଶୀଲଙ୍କୁ ପୁଲିସ ଖୋଜୁଛି। ତେବେ ସେ ହରିଦ୍ବାର ଯାଇ ସେଠାରୁ ରୁଷିକେଶ୍ ପଳାଇଥିବା ସୂଚନା ମିଳିଛି।



