ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଲବ୍ଧପ୍ରତିଷ୍ଠ କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତି (୮୦)ଙ୍କର ବୁଧବାର ଆଚାର୍ଯ୍ୟବିହାରସ୍ଥିତ ବାସଭବନରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ କବିତା ପଟ୍ଟନାୟକ, ପରିବାର ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବହୁ ସାହିତ୍ୟିକ, ପ୍ରକାଶକ ତାଙ୍କର ଶେଷଦର୍ଶନ କରିଥିଲେ। ଜନ୍ମମାଟି ଜଗତସିଂହପୁର ଜିଲା ବିରିଡ଼ିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁତ୍ର ମିତ୍ରଭାନୁ ମୁଖାଗ୍ନି ଦେଇଥିଲେ।
୧୯୪୨ ଜାନୁଆରୀରେ ଜନ୍ମିତ ପ୍ରମୋଦ ପ୍ରଥମେ ଚିନ୍ତାମଣି ବିଦ୍ୟାପୀଠରେ ଶିକ୍ଷକଭାବେ କାର୍ଯ୍ୟାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଭଦ୍ରକ କଲେଜରେ ସ୍ବଳ୍ପ ସମୟ ଲାବୋରେଟୋରି ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ। ପରେ ମନସ୍ତତ୍ତ୍ବ ବିଭାଗର ଅଧ୍ୟାପକ ଭାବେ ବାଙ୍କି କଲେଜ, କଟକର ଜେକେବିକେ କଲେଜରେ କାର୍ଯ୍ୟ କରିଥିଲେ। ଅଧ୍ୟାପନା ସହ କବିତା ରଚନା ତାଙ୍କର ନିଶା ଥିଲା। ୧୯୬୭ରେ ପ୍ରକାଶିତ ତାଙ୍କର ପ୍ରଥମ ପୁସ୍ତକ ‘କ୍ରମଶଃ’ ପାଠକୀୟ ଆଦୃତି ପାଇଥିଲା। ଦିବଂଗତ ସ୍ରଷ୍ଟା ମହାପାତ୍ର ନୀଳମଣି ସାହୁଙ୍କ ପ୍ରେରଣାରେ ସେ ସାହିତ୍ୟ କ୍ଷେତ୍ରରେ ନିଜ ପ୍ରତିଭାକୁ ଅଧିକ ପରିବ୍ୟାପ୍ତ କରିଥିଲେ। ୨୦୦୮ରେ କବିତା ସଂକଳନ ‘ଅସରନ୍ତି ଅଣସର’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମେରୀ ମହାନ୍ତିଙ୍କ ଦ୍ୱାରା ଇଂରାଜୀ ଭାଷାରେ ‘ଏଣ୍ଡଲେସ ଆର୍ଡନମେଣ୍ଟ’ ନାମରେ ଏହା ଅନୁଦିତ ହୋଇଥିଲା। ଅକାତ କାତ, ଚିତ୍ରନଦୀ, ଅଲଗା କୁହ, ଅକ୍ଷୟ ସେବା ଆଦି ସଂକଳନ ତାଙ୍କର ଅନନ୍ୟ ସୃଷ୍ଟି। କବିତା ବ୍ୟତୀତ ସେ ମଧ୍ୟ କିଛି ପ୍ରବନ୍ଧ ରଚନା କରିଥିଲେ। ‘ପିଲାଙ୍କୁ କିପରି ମଣିଷ କରିବା’ ତନ୍ମଧ୍ୟରୁ ଅନ୍ୟତମ।
ଶ୍ରୀ ମହାନ୍ତିଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ ଜରିଆରେ ସେ କହିଛନ୍ତି, ଓଡ଼ିଆ ସାହିତ୍ୟକୁ ଅନନ୍ୟ ଅବଦାନ ପାଇଁ ଶ୍ରୀ ମହାନ୍ତି ଚିର ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି, ଶ୍ରୀ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି।
ପରଲୋକରେ ବିଶିଷ୍ଟ କବି ପ୍ରମୋଦ ମହାନ୍ତି
Popular Categories



