www.samajalive.in
Monday, December 8, 2025
17.1 C
Bhubaneswar

ଭାରତ ଧନୀ ଓ ଗରିବ ଦୁଇ ଭାଗରେ ବିଭକ୍ତ : ରାହୁଲ

ସରକାରଙ୍କ ଭୁଲ୍ ବିଦେଶ ନୀତି ଯୋଗୁଁ ଆଜି ଚୀନ-ପାକିସ୍ତାନ ଏକାଠି ହୋଇପାରିଛନ୍ତି

ନୂଆଦିଲ୍ଲୀ : ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ବଢିଚାଲିଥିବାବେଳେ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଛନ୍ତି ଭାରତ ଏବେ ଧନୀ ଓ ଗରିବ ଆଧାରରେ ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଭାରତ ଧନୀଙ୍କ ଲାଗି ଉଦ୍ଦିଷ୍ଟ ଥିବାବେଳେ ଅନ୍ୟଟି ଅଭାଗା ଗରିବଙ୍କର ଭାରତ। ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଥମ ବକ୍ତବ୍ୟ ରଖି ରାହୁଲ ଏହା କହିଛନ୍ତି। ସେ କହିଛନ୍ତି ଗୋଟିଏ ଭାରତ ସବୁଠାରୁ ଧନୀଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ, କ୍ଷମତା ରହିଛି। ସେମାନଙ୍କ ପାଇଁ ରୋଜଗାର ଦରକାର ନାହିଁ କି ସରକାରଙ୍କ ପାଣି ପାଇପ ସଂଯୋଗ କିମ୍ବା ବିଦ୍ୟୁତ୍ ସଂଯୋଗର ଆବଶ୍ୟକତା ନାହିଁ। ଅନ୍ୟ ଏକ ଭାରତ ହେଉଛି ଗରିବଙ୍କର। ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ବଢିବଢି ଚାଲିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶର ୧୦ଜଣ ପ୍ରମୁଖ ଧନୀଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ୪୦କୋଟି ଭାରତୀୟଙ୍କ ପାଖରେ ସେତିକି ସମ୍ପତ୍ତି ରହିଛି। ରାହୁଲ କହିଛନ୍ତି ଯେ ଧନୀ ଓ ଗରିବଙ୍କ ମଧ୍ୟରେ ଏପରି ପାର୍ଥକ୍ୟ ବଢିବାର କାରଣ ହେଉଛନ୍ତି ଆମର ସରକାର। ତେଣୁ ନରେନ୍ଦ୍ର ମୋଦୀ ସରକାର ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ରାହୁଲ ନିବେଦନ କରିଛନ୍ତି। ସେ କହିଛନ୍ତି ୨୦୨୧ରେ ଦେଶର ୩କୋଟି ଯୁବକ ନିଯୁକ୍ତି ହରାଇଛନ୍ତି। ଭାରତ ଏବେ ସର୍ବାଧିକ ବେରୋଜଗାରୀର ସମ୍ମୁଖୀନ ହୋଇଆସୁଛି। ଦେଶର ଯୁବକମାନେ ନିଯୁକ୍ତି ଖୋଜୁଥିବାବେଳେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଏ ପ୍ରସଙ୍ଗରେ ପଦଟିଏ ବି କହି ନାହାନ୍ତି। ସରକାର ମେଡ ଇନ ଇଣ୍ଡିଆ, ଷ୍ଟାଟ୍‌ ଅପ୍ ଇଣ୍ଡିଆ କଥା କହୁଛନ୍ତି ମାତ୍ର ଏହିସବୁ ଯୋଜନା ଆବଶ୍ୟକ ନିଯୁକ୍ତି ଯୋଗାଇ ଦେଇପାରୁ ନାହିଁ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ଋଣ ଯୋଗାଇ ନଦେଲେ ମେଡ ଇନ ଇଣ୍ଡିଆ ଯୋଜନା ସଫଳ ହୋଇପାରିବ ନାହିଁ। ବିମୁଦ୍ରାକରଣ, ଭୁଲ ଜିଏସ୍‌ଟି ନୀତି ଓ କରୋନା କାଳରେ ସରକାରଙ୍କ ସହଯୋଗର ଅଭାବ ଯୋଗୁଁ ଏମଏସଏମଇ ସେକ୍ଟରଗୁଡିକ ବନ୍ଦ ହୋଇଯାଇଛି। ଫଳରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି। ରାହୁଲ କହିଛନ୍ତି ଯେ ୟୁପିଏ ସରକାର ଏହାର ୧୦ ବର୍ଷର ଶାସନ କାଳରେ ୨୭ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ଉପରକୁ ଉଠାଇଥିଲା। ମାତ୍ର ମୋଦୀଙ୍କ ଶାସନ ସମୟରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଯାଇଛନ୍ତି। ଦେଶରେ ଏବେ ଅମ୍ବାନି-ଅଦାନି(ଏଏ) ପ୍ରଜାତି ଭୂତାଣୁ ବ୍ୟାପିବାରେ ଲାଗିଛି।
ରାହୁଲ କହିଛନ୍ତି ଯେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଦେଶ ନୀତି ଯୋଗୁଁ ଆମର ଦୁଇ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ ଏକାଠି ହୋଇପାରିଛନ୍ତି। ପାକିସ୍ତାନ ଓ ଚୀନ ଏକାଠି ହେବା ଭାରତ ପାଇଁ ବଡ ବିପଦ। ଆମର ଶତ୍ରୁମାନେ ଆମର ସ୍ଥିତିକୁ ଭଲ ଭାବେ ବୁଝିପାରିଛନ୍ତି। ଭାରତ ଏବେ କଣଠେସା ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଭାରତକୁ ଜଣେ ମୁଖ୍ୟ ଅତିଥି ମିଳିପାରିଲେ ନାହିଁ। ଚୀନ ଠାରୁ ଭାରତକୁ ସୁରକ୍ଷିତ କରିବା ଲାଗି ଆମେ ନିଜକୁ ପ୍ରସ୍ତୁତ କରିବା ଦରକାର। ଜାମ୍ମୁ-କାଶ୍ମୀରରେ ସରକାରଙ୍କ ରଣନୀତି ବିଫଳ ହୋଇଛି।
ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଓ ନ୍ୟାୟପାଳିକାକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କ ସ୍ବରକୁ ଦମନ କରାଯାଉଛି। ପେଗାସସ୍ ପ୍ରସଙ୍ଗରେ ମଧ୍ୟ ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପେଗାସସ୍‌ ସ୍ପାଏୱେର କିଣିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ସହିତ ବୁଝାମଣା କରିଥିଲେ। ଅନ୍ୟପଟେ ରାହୁଲଙ୍କ ଏପରି ମନ୍ତବ୍ୟକୁ ନେଇ ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଆଇନ ମନ୍ତ୍ରୀ କିରେନ ରିଜିଜୁ। ରିଜିଜୁ କହିଛନ୍ତି ଯେ ରାହୁଲ ଦେଶର ନ୍ୟାୟପାଳିକା ଓ ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ପ୍ରତିଷ୍ଠାନକୁ ସମାଲୋଚନା କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ କଂଗ୍ରେସ ଯୋଗୁଁ ତିବ୍‌ବତ ଭଳି ସମସ୍ୟା ସୃଷ୍ଟି ହୋଇଛି। ରାହୁଲ ଚୀନର ଭିଜନ ସମ୍ପର୍କରେ କହିବା ଅର୍ଥ ସେ ଚୀନକୁ ସମର୍ଥନ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories