ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ସରକାର ଏବଂ ବିରୋଧୀ ମଧ୍ୟରେ ଯୁକ୍ତିତର୍କ ଚାଲିଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏ ନେଇ ସମ୍ବୋଧିତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଏବଂ ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବେ।
ମୋଦୀ ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ଆକାଶବାଣୀ ତରଫରୁ ସୂଚନା ଦିଆଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଅପରାହ୍ନ ୪ଟାରେ ଦେଶକୁ ସମ୍ବୋଧିତ କରିବେ। କିନ୍ତୁ କିଛି ସମୟ ପରେ କୁହାଗଲା ଯେ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସମୟରେ ପରିବର୍ତ୍ତନ ହୋଇପାରେ। ତେବେ କେତେବେଳେ ମୋଦୀ ସମ୍ବୋଧନ କରିବେ ତାହା ସ୍ପଷ୍ଟ ହୋଇପାରିନାହିଁ।
ଏହା ପୂର୍ବରୁ ଗତ ମାର୍ଚ୍ଚ ୨୭ରେ ନିର୍ବାଚନ ସମୟରେ ଦେଶବାଦୀଙ୍କୁ ସମ୍ବୋଧିତ କରିଥିଲେ। ସେତେବେଳେ ସେ ସାଟେଲାଇଟ୍ ନିରୋଧୀ କ୍ଷେପଣାସ୍ତ୍ର(ଏ-ସାଟ୍)ର ସାଟେଲାଇଟକୁ ଖସାଇବାର କ୍ଷମତା ସମ୍ପର୍କରେ ଘୋଷଣା କରିଥିଲେ। ଉଲ୍ଲେଖନୀୟ କଥା ହେଲା ଗତ ମଙ୍ଗଳବାର ସଂସଦରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଲାଗି ସଙ୍କଳ୍ପକୁ ମଞ୍ଜୁରୀ ମିଳିସାରିଛି। ଏହାସହିତ ରାଜ୍ୟକୁ ଦୁଇଭାଗ କରି ଜାମ୍ମୁ-କାଶ୍ମୀର ଏବଂ ଲଦାଖ ରୂପରେ ବିଭାଜନ ସଂକ୍ରାନ୍ତ ବିଲ୍କୁ ବି ମଞ୍ଜୁରୀ ମିଳିଥିଲା।



