ନୂଆଦିଲ୍ଲୀ: ଭାରତକୁ ୧୦ ଲକ୍ଷ କୋଟି ଡଲାର୍ ଅର୍ଥନୀତିରେ ପରିଣତ କରିବା ଓ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଗଢ଼ି ତୋଳିବାପାଇଁ ସରକାର କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍ୱ ବ୍ୟାବସାୟିକ ଶିଖର ବୈଠକରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି, ଭାରତରେ ଅଗଣିତ ଷ୍ଟାର୍ଟ ଅପ୍ କମ୍ପାନୀ ପ୍ରତିଷ୍ଠା ହେଉ ଓ ପୁନର୍ବ୍ୟହାରକ୍ଷମ ଶକ୍ତି କ୍ଷେତ୍ରରେ ଏହା ନେତୃତ୍ୱ ନେଉ, ତାହା ସେ ଚାହାନ୍ତି। ସେ କହିଛନ୍ତି, ୧୩୦ କୋଟି ଭାରତୀୟଙ୍କର ଆଶା ଓ ଆକାଂକ୍ଷ ପୂରଣ ପାଇଁ ଏକ ନବଭାରତ ଗଠନ ଦିଗରେ ତାଙ୍କ ସରକାର କାର୍ୟ୍ୟ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି, ଆର୍ଥିକ ଅବସ୍ଥା, ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକମାନଙ୍କପାଇଁ ତାଙ୍କ ସରକାର କାର୍ୟ୍ୟ କରୁଛି। ତାଙ୍କ ସରକାରଙ୍କ ସଫଳତା କଥା ବର୍ଣନା କରି ସେ କହିଛନ୍ତି, ତାଙ୍କ ସରକାର କ୍ଷମତାକୁ ଆସିବାବେଳେ ନୀତି ନିର୍ଦ୍ଧାରଣରେ ଅଚଳାବସ୍ଥା ଆସିଯାଇଥିଲା, ମୁଦ୍ରାସ୍ଫୀତି ଅହେତୁକ ଭାବେ ବୃଦ୍ଧି ପାଇଥିଲା ଓ ଦେଶର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ ବହୁତ କମ୍ ଥିଲା। ସେ କହିଛନ୍ତି, ଗତ ୫ ବର୍ଷ ଭିତରେ ଆଶା ସଞ୍ଚାର ହୋଇଛି, ସୁଯୋଗ ଆସିଛି ଓ ପଦକ୍ଷେପ ନିଆଯାଇଛି। ଶ୍ରୀ ମୋଦି କହିଛନ୍ତି, ଦେଶ ସର୍ବାଧିକ ଶତକଡ଼ା ୭ ଦଶମିକ ୪ ଭାଗ ଅଭିବୃଦ୍ଧି ହାର ହାସଲ କରିଛି ଏବଂ ମୁଦ୍ରାସ୍ଫୀତିକୁ ସର୍ବନିମ୍ନ ଶତକଡ଼ା ୪ ଦଶମିକ ୫ ଭାଗ ମଧ୍ୟରେ ସୀମିତ ରଖାଯାଇଛି। ସେ କହିଛନ୍ତି, ଜି.ଏସ୍.ଟି. ଭଳି ଦୃଢ଼ ପଦକ୍ଷେପ ଜି.ଡି.ପି. ଅଭିବୃଦ୍ଧିପାଇଁ ଭିତ୍ତିଭୂମି ଯୋଗାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଯେତେବେଳେ ଭାରତ ଚନ୍ଦ୍ରକୁ ଜଣେ ମାନବ ପଠାଇବାକୁ ପ୍ରସ୍ତୁତି ଚଳାଇଛି, ପ୍ରତ୍ୟେକ ଭାରତୀୟଙ୍କର ନିଜର ଘର ରହିବାକୁ ମଧ୍ୟ ନିଶ୍ଚିତ କରାଯାଇଛି। ଦେଶର ୧୦୦ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯାଇଥିବା ବେଳେ ୧୦୦ଟି ଅନୁନ୍ନତ ଜିଲ୍ଲାରେ ଦ୍ରୁତ ବିକାଶ ଅଣାଯାଇଛି। ଶ୍ରୀ ମୋଦି କହିଛନ୍ତି, ଭାରତ ଏହାର ହାଇସ୍ପିଡ୍ ଟ୍ରେନ୍ ନିର୍ମାଣ କରିଥିବାବେଳେ ଏହା ସମସ୍ତ ମାନବବିହୀନ ରେଳ ଫାଟକ ହଟେଇ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗକୁ ଭାରତ ବିଦ୍ୟୁତ୍ ରପ୍ତାନୀ କରିବ। ସେ ମୂଳସ୍ତରରେ ପରିବର୍ତ୍ତନ ପାଇଁ ଦେଶର ଲୋକମାନଙ୍କୁ ଶ୍ରେୟ ଦେବା ସହ ଲୋକମାନଙ୍କ ଯୋଗୁଁ ଅସମ୍ଭବକୁ ସମ୍ଭବ କରାଯାଇପାରିଛି ବୋଲି କହିଛନ୍ତି।
Popular Categories



