ଫୁଲବାଣୀ: ବିଶ୍ୱ ଜଳ ଦିବସ ଓ ଜଳ ଶକ୍ତି ଅଭିଯାନକୁ ସଫଳ କରିବା ପାଇଁ ସରକାରୀସ୍ତରରେ ବିିଭିନ୍ନ ସଚେତନ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ଏହାକୁ ବ୍ୟାପକ କରିବା ସହିତ ଏହି ଅଭିଯାନର ସଫଳ ରୂପାୟନ ପାଇଁ କିଛି ସ୍ୱେଚ୍ଛାସେବୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ପ୍ରବାସୀ ଏକାଠି ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ। ଜଳର ଅପବ୍ୟବହାର ରୋକିବା, ଆବଶ୍ୟକ ମୁତାବକ ଜଳ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ବର୍ଷା ଜଳର ସଂରକ୍ଷଣ ସହ ତାହାକୁ ଚାଷ କ୍ଷେତ୍ରରେ ବ୍ୟବହାର କରିବା ଭଳି ବିିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହାସହ ବର୍ଷ ବର୍ଷ ଧରି ବ୍ୟବହାର ନହୋଇ ପଡ଼ି ରହିଥିବା ଜଳ ଉତ୍ସକୁ ପୁଣିଥରେ ବ୍ୟବହାରଯୋଗ୍ୟ କରିବାକୁ ଶ୍ରମ ଓ ଅର୍ଥଦାନ କରିଛନ୍ତି।
କରୋନା କାଳରେ ହଜାର ହଜାର ପ୍ରବାସୀ ଭିଟାମାଟିକୁ ଫେରି ଆସିଥିଲେ। ଦୀର୍ଘଦିନ ଧରି ନିଜ ନିଜ ଗ୍ରାମରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ଗ୍ରାମ୍ୟ ସମସ୍ୟାକୁ ସେମାନେ ଅଙ୍ଗେ ନିଭାଇଥିଲେ। ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ଭୋଗୁଥିବା ଜଳକଷ୍ଟ ସହିନପରି ନିଜେ ଶ୍ରମଦାନ କରି ଜଳ ଉତ୍ସଗୁଡିକର ପୁନରୁଦ୍ଧାର ପାଇଁ ପ୍ରବାସୀମାନେ ଚିନ୍ତା କରି ଅନ୍ୟର ସହଯୋଗରେ ତାହାକୁ କାର୍ୟ୍ୟରେ ପରିଣତ କରିଛନ୍ତି। କନ୍ଧମାଳ ଜିଲାର ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ, କତିଙ୍ଗିଆ , ରାଇକୋଲା, ତଲାରିମାହା ଭଳି ବିଭିନ୍ନ ପଞ୍ଚାୟତରେ ପ୍ରବାସୀଙ୍କ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ଅନ୍ତରଙ୍ଗ ଯୁବକ ସଂଘ ସଦସ୍ୟ, ଗ୍ରାମର ଯୁବକମାନେ ଅଚଳ ଜଳ ଉତ୍ସର ମରାମତି କରିଛନ୍ତି। ଏଥିପାଇଁ ସଭିଏଁ ଶ୍ରମଦାନ ମଧ୍ୟ କରିଛନ୍ତି। ସରକାରୀସ୍ତରରେ କୁଅ ଓ ଚୁଆଁଗୁଡ଼ିକର ମରାମତି ଓ ପୁନରୁଦ୍ଧାର ପାଇଁ କୌଣସି ପ୍ରକାର ଅନୁଦାନ ମିଳୁନଥିବାରୁ ଆବଶ୍ୟକ ଖର୍ଚ୍ଚ ଭରଣା କରିଥିଲେ ପ୍ରବାସୀ, ଯୁବ ଓ ମହିଳା ଗୋଷ୍ଠୀ। ଇତିମଧ୍ୟରେ ରଟିଙ୍ଗିଆ ଗ୍ରାମର ୩ଟି ଜଳଉତ୍ସ ମରାମତି ହୋଇ ପୁଣିଥରେ ବ୍ୟବହାରଯୋଗ୍ୟ ହୋଇପାରିଛି।
କତିଙ୍ଗିଆ ଗ୍ରମାର ୨ଟି , ରାଇକେଲା ଓ ତଲାରିମାହା ଗ୍ରାମର ଗୋଟିଏ ଲେଖାଏଁ ଜଳଉତ୍ସ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇପାରିଛି। କେରଳ, ସୁରତ, ତାମିଲନାଡୁ ଭଳି ବିିଭିନ୍ନ ଅଞ୍ଚଳରେ କାମ କରୁଥିବା ପ୍ରବାସୀମାନେ ଯଥାସମ୍ଭବ ଅନୁଦାନ ଓ ଶ୍ରମଦାନ କରି ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରବାସୀମାନଙ୍କର ଏଭଳି କାର୍ୟ୍ୟକୁ ସବୁ ମହଲରେ ମିଳିଛି ପ୍ରଶଂସା। ଅନ୍ତରଙ୍ଗ ଯୁବକ ସଂଘର ସଦସ୍ୟଙ୍କ ସମେତ ମହିଳା ଓ ପୁରୁଷମାନେ ଅନେକ ଚୁଆଁ ପୁନରୁଦ୍ଧାର କରିଛନ୍ତି। ଅନ୍ୟପକ୍ଷରେ ଯେଉଁ ସବୁ ସ୍ଥାନରେ ଜଳ ସଂରକ୍ଷଣ କରାଯାଉଛି ସେହିସବୁ ସ୍ଥାନ ନିକଟରେ ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ଆରମ୍ଭ ହୋଇଛି ପଦକ୍ଷେପ। ଜଳ ଶକ୍ତି ଅଭିଯାନକୁ ସଫଳ କରିବା ପାଇଁ ଅନ୍ତରଙ୍ଗ ଯୁବ ମହାସଂଘର ସଂପାଦକ ହୃଷିକେଶ ପ୍ରଧାନ, ୱାର୍ଡ଼ସଭ୍ୟ ସନାତନ ପ୍ରଧାନ, ଦିଲିପକୁମାର ପ୍ରଧାନ, ଟଙ୍କଧର ପ୍ରଧାନ, ସାବ୍ନି ପ୍ରଧାନ, ପ୍ରଭାକର ପ୍ରଧାନ, କାମରାଜ ପ୍ରଧାନ, ବାବୁଲା ପ୍ରଧାନ, ସଞ୍ଜିବ କୁମାର ପ୍ରଧାନ, ଧିରେନ୍ ମଲିକ, ବାରିକ ପ୍ରଧାନ, ବେଣୁଧର ପ୍ରଧାନ, ବିଶାଳ ପ୍ରଦାନ, ଛୋଟନ ଦିଗାଲ ଓ ଅନ୍ୟମାନେ ସାମିଲ୍ ହୋଇଛନ୍ତି।



