ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡିସେନ ୱାର୍ଡ଼ର ମହିଳା ଶୌଚାଳୟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମେଡିସେନ ୱାର୍ଡ଼ ମଧ୍ୟରେ ଥିବା ମହିଳା ଶୌଚାଳୟକୁ ଆଜି ଜଣେ ସୁଇପର ସଫା କରିବାକୁ ଯାଇଥିବା ବେଳେ ଗୋଟିଏ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖି ସଙ୍ଗେ ସଙ୍ଗେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ମେଡିକାଲ କର୍ତ୍ତୃପକ୍ଷ ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ।
ଏହାପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ନବଜାତକ ଶିଶୁ କନ୍ୟାର ମୃତ୍ୟୁ କିଭଳି ହୋଇଛି ଏବଂ ଏଠାରେ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣଷି ସୂଚନା ମିଳିନାହିଁ। ଟାଉନ ଥାନା ପୁଲିସ ଏନେଇ ୨୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିବା ତଦନ୍ତକାରୀ ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି। ନବଜାତକ ଶିଶୁକନ୍ୟାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।



