ଭୁବନେଶ୍ୱର : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣାରେ କେନ୍ଦ୍ର ସ୍ଵରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିବା, ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ଏବଂ କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୧୮ ତାରିଖ,ସୋମବାର ସାରାଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ରେଳରୋକ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରିବା ପାଇଁ ନିଷ୍ପତି ନେଇଛି ବୋଲି ଶନିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି
ସେ କହିଛନ୍ତି ଆଜି ଦେଶରେ ଚାଲିଥିବା ଅନ୍ୟାୟ, ଅବିଚାର, ଅତ୍ୟାଚାର, କୃଷକ ଗଣହତ୍ୟା, କୃଷକ-ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ମହିଳା ମାନଙ୍କ ବିରୋଧରେ ହିଂସା, ଆକ୍ରମଣ ଇତ୍ୟାଦି ସବୁ ପାଇଁ କେନ୍ଦ୍ରର ମୋଦୀ ସରକାର ଦାୟୀ। ମୋଦୀ ସରକାର ହେଉଛନ୍ତି ଦେଶ ଏବଂ ଦେଶବାସୀଙ୍କ ପାଇଁ ଶତ୍ରୁ। ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠର କର୍ମକର୍ତା, ସାଂସଦ ଓ ବିଧାୟକ ପାର୍ଥି, କୃଷକ, ଶ୍ରମିକ ଓ ଜନସାଧାରଣ ଆସନ୍ତା ୧୮ ତାରିଖ, ସୋମବାର ଦିନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ରେଳରୋକ ରେ ସାମିଲ ହୋଇ ରେଳରୋକ ଡାକରା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।



