ଶ୍ୱଶୁର, ଶଳାର ଛୁରା ମାଡ଼ରେ ଜ୍ୱାଇଁ ଗୁରୁତର, ଉଭୟଙ୍କୁ ଗିରଫ କଲା ପୁଲିସ
ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମଥୁରାପଶି ଗ୍ରାମରେ ଶ୍ୱଶୁର, ଶଳାଙ୍କ ଛୁରାମାଡ଼ରେ ଜ୍ୱାଇଁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଅଭିଯୋଗ ହେବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ ଉଭୟ ଆକ୍ରମଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ଲଳିତ ମହାନ୍ତର ଝିଅ ମଥୁରାପଶି ଗ୍ରାମର ଲିଟୁନ ମହାନ୍ତ(୨୭) ଙ୍କ ସହିତ ଜୁଲାଇ ମାସ ୧୮ ତାରିଖରେ ବୈଦିକ ରୀତି ମତେ ବାହାଘର ହୋଇଥିଲା । ଗତକାଲି ନନ୍ଦପୁର ଗ୍ରାମରୁ ଲଳିତ ମହାନ୍ତ ଓ ତାଙ୍କ ନାବାଳକ ୧୭ ବର୍ଷୀୟା ପୁଅ ମଥୁରାପଶି ଗ୍ରାମର ଜ୍ୱାଇଁ ଘରକୁ ଆସିଥିଲେ ।
ରାତି ୮ଟାରେ ଖାଇପିଇ ବାପ ପୁଅ ଘରକୁ ଯିବା ପାଇଁ ବାଇକ ଯୋଗେ ବାହାରିଥିଲେ ଏବଂ ସାଙ୍ଗରେ ଝିଅକୁ ନେଇଯିବା ପାଇ କହିଥିଲେ । ମାତ୍ର ଜ୍ୱାଇଁ ଲିଟୁନ ରାତିରେ ଗୋଟିଏ ବାଇକରେ ତିନି ଜଣ ଯିବା ପାଇଁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ସାଙ୍ଗକୁ ଵଚସା ମଧ୍ୟ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଲିଟୁନର ଶଳା ରାଗିଯାଇ ଏକ ଧାରୁଆ ଛୁରୀରେ ଲିଟୁନର ପେଟ ଓ ଛାତିକୁ ମାରିବାରୁ ଲିଟନର ଅନ୍ତବୁଜୁଳା ବାହାରି ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରି ତଳେ ପଡ଼ି ଯାଇଥିଲା ।
ଫଳରେ ଉଭୟ ବାପ ପୁଅ ଜ୍ୱାଇଁ ଘରେ ବାଇକ ଛାଡି ଦେଇ ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିଲେ । ଖବର ପାଇ ଢେଙ୍କିକୋଟ ପୁଲିସ ଅଧିକାରୀ ତରଣୀ ସେନ ବାଗ, ମହିଳା କନେଷ୍ଟବଳ ନଳିନୀ ମହାନ୍ତ, ପ୍ରସନ୍ନ ବାରିକ ସଦଳବଳେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଡାକି ଲିଟୁନ ଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ଲିଟୁନର ଗୁରୁତର ଅବସ୍ଥା ଦେଖି ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦେଇଛନ୍ତି । ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି।
Comments are closed.