ପାଟଣା: ପାଟଣା ବ୍ଲକ ଡୁମୁରିଆ ନାଏକ ସାହିରେ ଦେଢ଼ ଶହ ବର୍ଷ ଧରି ପୂଜା ପାଇ ଆସୁଥିବା ଗ୍ରାମ ଦେବୀ ବଡାମ ଠାକୁରାଣୀଙ୍କ ପୀଠରେ ଥିବା ଏକ ବଡ଼ ପୁରୁଣା ବଉଳ ଗଛ ଆଜି ଭୋରରୁ ଉପୁଡ଼ି ପଡ଼ିଥିଲା। ଶହେରୁ ଅଧିକ ବର୍ଷର ଏହି ବଉଳ ଗଛଟି ଗ୍ରାମର ପ୍ରଦୀପ ଦାସ ଙ୍କ ଘର ଉପରେ ଉପୁଡ଼ି ପଡ଼ିବା ସମୟରେ ଘରର କ୍ଷତି ହୋଇଥିଲେ ମଧ୍ୟ ଘରେ ଥିବା ପ୍ରଦୀପ ଙ୍କ ପତ୍ନୀ ଓ ଦୁଇ ସନ୍ତାନ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଖବର ପାଇ ପାଟଣା ଅଗ୍ନିଶମବାହିନୀ ଆଜି ପୂର୍ବାହ୍ନ ନଅଟା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଉପୁଡି ପଡିଥିବା ବଉଳ ଗଛଟିକୁ କାଟିବା ସମୟରେ କରତ ଠିକରେ ନଚାଲିବା ଓ ଦୁଇଟି ଯାକ କରତ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ଅଗ୍ନିଶମ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଏହା ଦେଖି ଗ୍ରାମଦେବୀଙ୍କ ଦେହୁରୀ ଠାକୁରାଣୀଙ୍କୁ ପୂଜା ପାଣି ଦେବାକୁ ପରାମର୍ଶ ଦେଇ ଗଛ କାଟିବାକୁ କହିବାରୁ ଅଗ୍ନିଶମ କର୍ମଚାରୀ ଗ୍ରାମଦେବୀ ଙ୍କୁ ପୂଜା କରିବା ସହ ବଉଳ ଗଛଟି କାଟିବାକୁ ଘଟଗାଁ ଅଗ୍ନିଶମ ବାହିନୀକୁ ଡକାଇ ଥିଲେ। ଘଟଗାଁ ଅଗ୍ନିଶମ ବାହିନୀ ଡୁମୁରିଆ ଯାଇ ଉପୁଡ଼ି ପଡ଼ିଥିବା ବଉଳ ଗଛର ବଳକା ଗଡ ଗୁଡ଼ିକ କାଟି ଅଲଗା କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇ ପାଟଣା ଅଗ୍ନିଶମବାହିନୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହଜାର ହଜାର ଗଛ କାଟି ସଫା କରିଥିବା ବେଳେ ଆଜି ଡୁମୁରିଆରେ ଗୋଟିଏ ବଉଳ ଗଛ କାଟିବାକୁ ସାତ ଘଣ୍ଟା ଲଗାଇବା ଓ ଘଟଗାଁ ଅଗ୍ନିଶମବିଭାଗର ସହାୟତା ଲୋଡ଼ିବା ଘଟଣା ଡୁମୁରିଆ ଗ୍ରାମ ଦେବୀଙ୍କ ଅଲୌକିକ ଶକ୍ତି ବୋଲି ଏଠାରେ ଚର୍ଚ୍ଚା ହେଉଛି।



