ସୋରଡ଼ା: ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୫ ତାରିଖକୁ ଜାତୀୟ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଉଛି। ରାଜ୍ୟରେ ପର୍ଯ୍ୟଟନ ବିଭାଗ ତରଫରୁ ଅନେକ ପ୍ରାଚୀନ କୀର୍ତ୍ତି, ମନ୍ଦିର, ଅଭୟାରଣ୍ୟର ଉନ୍ନତି କରାଯାଇ ବିକଶିତ ପର୍ଯ୍ୟଟନସ୍ଥଳ ରୂପେ ପରିଗଣିତ କରାଯାଇଛି। ଗତ କିଛିବର୍ଷ ହେବ ରାଜ୍ୟ ସରକାରଙ୍କ ଦ୍ୱାରା ନୂତନ ପରିକଳ୍ପନା ଭାବେ କିଛି ସ୍ଥାନରେ ଇକୋ ଟୁରିଜିମ୍ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କେଉଁଠି ପ୍ରାକୃତିକ ପରିବେଶ ଭରା ସ୍ଥାନଗୁଡ଼ିକ ଇକୋ ଟୁରିଜିମ୍ ପାଇଁ ବେଶ୍ ଆକର୍ଷଣୀୟ ହୋଇପାରୁଥିବା ବେଳେ ଆଉ କେଉଁଠି କେବଳ ଟଙ୍କା ଖର୍ଚ୍ଚ କରି କୃତ୍ରିମ ପରିବେଶକୁ ପ୍ରାକୃତିକ କରିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ଅନେକ ପ୍ରାକୃତିକ ସ୍ଥାନ ରହିଯାଇଛି। ଏମିତି ଏକ ସ୍ଥାନ ହେଲା ଗଞ୍ଜାମ ଜିଲା ସୋରଡ଼ା ବ୍ଳକ୍।

ଏହି ବ୍ଳକ୍ର କନ୍ଧମାଳ ସୀମାନ୍ତରେ ଥିବା ସୋରଡ଼ା ରେଞ୍ଜର ଗାଜଲବାଡ଼ି ସଂରକ୍ଷିତ ଜଙ୍ଗଲ ପ୍ରାୟ ୨୫ କିମି ପର୍ଯ୍ୟନ୍ତ ବ୍ୟାପିଛି। ୨୦ ହଜାର ହେକ୍ଟରରେ ରହିଛି ଘଞ୍ଚ ଜଙ୍ଗଲ। ସେଥିମଧ୍ୟରେ ହାତୀ, ହରିଣ (ସମ୍ବର ପ୍ରଜାତିର), ମୟୁୂର ଓ ପାଟମୂଷା ଶହ ଶହ ସଂଖ୍ୟାରେ ଖୋଲାରେ ବିଚରଣ କରୁଛନ୍ତି। ଦୀର୍ଘବର୍ଷ ହେବ ଏହି ଜଙ୍ଗଲକୁ ଇକୋ ଟୁରିଜିମ୍ ଭାବେ ଘୋଷଣା କରିବାକୁ ଦାବି କରାଯାଉଥିଲେ ମଧ୍ୟ ସେଥିପ୍ରତି କାହାର ଧ୍ୟାନ ନାହିଁ।
ଗାଜଲବାଡ଼ି ପଞ୍ଚାୟତରେ ଥିବା ସଂରକ୍ଷିତ ଜଙ୍ଗଲ ରାଜ୍ୟର କେତୋଟି ପ୍ରମୁଖ ଜଙ୍ଗଲ ମଧ୍ୟରୁ ଅନ୍ୟତମ। ବ୍ଳକ୍ର ଅସୁରବନ୍ଧ ପଞ୍ଚାୟତଠାରୁ ଆରମ୍ଭ କରି ଗୋଟିଏ ପଟେ କନ୍ଧମାଳ ସୀମାନ୍ତ ଓ ଅନ୍ୟପଟେ ଗଜପତି ଜିଲାକୁ ବ୍ୟାପିଛି ଏହି ଜଙ୍ଗଲ। ଗାଜଲବାଡ଼ି ସଂରକ୍ଷିତ ଜଙ୍ଗଲର ରାମନାମବାଡ଼ି, ଗାଜଲବାଡ଼ି, ରୁବାଙ୍ଗି, ଭୁତପଙ୍କାଳ ଆଦି ଅଞ୍ଚଳରେ ସର୍ବଦା ହାତୀ ଚଳପ୍ରଚଳ କରୁଛି। ସେମାନଙ୍କ ମଧ୍ୟରେ ୬ଗୋଟି ମାଈ, ୨ ଗୋଟି ଶାବକ ଓ ୫ଟି ଦନ୍ତା ହାତୀ ରହିଛି। ସେମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସେମାନଙ୍କର ପସନ୍ଦର ଖାଦ୍ୟ ଶାଳିଆ ପ୍ରଜାତିର ବାଉଁଶ ଗଛ ଗାଜଲବାଡ଼ି ଜଙ୍ଗଲରେ ଥିବା ଯୋଗୁ ସେମାନଙ୍କ ପାଇଁ ଏଠାକାର ପରିବେଶ ଅନୁକୂଳ ସାବ୍ୟସ୍ତ ହୋଇଛି। ହାତୀଙ୍କ ଗତିବିଧି ଜାଣିବା ପାଇଁ ସୋରଡ଼ା ବନବିଭାଗ ତରଫରୁ ୨୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ୫ବର୍ଷ ମଧ୍ୟରେ ୨ ଶାବକ ସହିତ ୩ଟି ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ରାମନାମବାଡ଼ି ଓ ଗାଜଲବାଡ଼ି ପଣ୍ଡାଖାଲ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଛି। ହାତୀକୁ ବାଦ୍ ଦେଲେ ମୟୂର, ବିଲୁପ୍ତ ପ୍ରାୟ ପାଟ ମୂଷା ଓ ହରିଣ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳୁଛି। ବନ ବିଭାଗ ତରଫରୁ ପ୍ରାୟ ୩୦ ବର୍ଷ ପୂର୍ବରୁ ରାମନାମବାଡ଼ି ପାହାଡ଼ ଉପରେ ଏକ ୱାଚ୍ ଟାୱାର ନିର୍ମାଣ କରାଯାଇଥିଲେ ମଧ୍ୟ ତାହ। ବର୍ତ୍ତମାନ ଅବ୍ୟବହୃତ ହୋଇ ପଡି ରହିଛି। ସରକାରଙ୍କ ତରଫରୁ ହାତୀଙ୍କ ପାଇଁ ଆବଶ୍ୟକୀୟ ଜଳାଶୟ ନିର୍ମାଣ ଓ ପ୍ରାକୃତିକ ଖାଦ୍ୟ ବ୍ୟବସ୍ଥା ସହିତ ଏହି ସ୍ଥାନକୁ ଇକୋ ଟୁରିଜିମ୍ ରୂପେ ଘୋଷଣା କଲେ ଗଂଜାମ ଜିଲାରେ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପେ ପରିଣତ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ପର୍ଯ୍ୟଟନସ୍ଥଳର ବିକାଶ ଘଟିଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୂପେ ପରିଚିତ ଗାଜଲବାଡ଼ି ପଞ୍ଚାୟତର ଆଦିବାସୀମାନେ ଅର୍ଥ ଉପାର୍ଜନ ସହିତ ସେମାନଙ୍କର ଜୀବନଶୈଳୀ ପରିବର୍ତ୍ତନ ହୁଅନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଗାଜଲବାଡ଼ି ଠାରୁ ରାମନାମବାଡ଼ି ପର୍ଯ୍ୟନ୍ତ ୪ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଛି। ରାମନାମବାଡ଼ି ଠାରୁ କନ୍ଧମାଳ ଜିଲାର ଋଷିମାଳକୁ ସଂଯୋଗ ନିମନ୍ତେ ବଙ୍ଗଡା ପର୍ଯ୍ୟନ୍ତ ୧୮ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାମ ଚାଲିଛି ବୋଲି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ କହିଛନ୍ତି।। ହାତୀଙ୍କ ନିମନ୍ତେ ସମୟେ ସମୟେ ଖାଦ୍ୟର ବ୍ୟବସ୍ଥା ସହିତ ବର୍ତ୍ତମାନ ପଣ୍ଡାଖାଲ ଜଙ୍ଗଲର ମିନାଜାଡ଼ି ଓ ରୁବାଙ୍ଗି ଠାରେ କ୍ଷୁଦ୍ର ଜଳାଶୟ ନିର୍ମାଣ କରାଯାଉଛି ବୋଲି ସୋରଡ଼ା ବନ ବିଭାଗ ରେଞ୍ଜର ଲମ୍ବୋଦର ବାସ୍କେ କହିଛନ୍ତି।



