ପାଳଲହଡ଼ା: ଲୁଣ ଭାବି ପଟାସ ସାର ଖାଇ ୫ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ଅନୁଗୋଳ ଜିଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ସରୁଆଳି ଗ୍ରାମର ସୁନ୍ଦରସିଂ ଟିଉଙ୍କ ବାରିପଟେ ଆଜି ଦିନ ପ୍ରାୟ ସାଢେ ଗୋଟାଏ ବେଳେ ସେହି ଗ୍ରାମର ରାକେଶ ଗଗରାଇ(୯), ଜୟନ୍ତ କୁମାର ଟିଉ (୧୦), ପ୍ରତୀଶ କୁମାର ଟିଉ(୭), ରବୀନ୍ଦ୍ର ଡ଼ଙ୍ଗ (୧୦) ଓ ସୁଜିତ ଡଙ୍ଗ (୪) ଖେଳୁଥିଲେ। ଖେଳିବା ସମୟରେ ସମସ୍ତେ ବାରିପଟେ ଜଣଙ୍କ ଗଛରୁ ଖଟା କମଳା ତୋଳିଥିଲେ। ଖଟା କମଳାକୁ ସୁସ୍ବାଦୁ କରିବା ପାଇଁ ଲୁଣ ଖୋଜିଥିଲେ। ହେଲେ ବଗିଚାରେ ପ୍ରୟୋଗ ପାଇଁ ଘର କାନ୍ଥରେ ଟଙ୍ଗା ଯାଇଥିବା ରାସାୟନିକ ଧଳା ପଟାସ ସାରକୁ ଲୁଣ ଭାବି କମଳା ସହ ଶିଶୁମାନେ ଖାଇ ଦେଇଥିଲେ।
ରାସାୟନିକ ସାର ପେଟ ଭିତରକୁ ଯିବାକ୍ଷଣି ସଭିଏଁ ବାନ୍ତି କରିବା ସହିତ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ୧୦୮ ରୋଗୀବୁହା ଗାଡିରେ ଗୁରୁତର ଅସୁସ୍ଥ ଶିଶୁମାନଙ୍କୁ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପଚେ ଶିଶୁମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।



