ପାକିସ୍ତାନରେ ଅନିୟନ୍ତ୍ରିତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବରୁ ମଧ୍ୟ ସେଠାରେ ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା ବେଳେ ଡିଜେଲ୍ର ମୂଲ୍ୟ ୨୦୪ ଟଙ୍କା ୧୫ ପଇସା ହୋଇଛି। ପାକିସ୍ତାନ ଅର୍ଥମନ୍ତ୍ରୀ ମିଫ୍ତା ଇସ୍ମାଇଲ୍ ଏହି ସୂଚନା ଦେଇଛନ୍ତି।
ପାକିସ୍ତାନ ଜାତୀୟ ବିଦ୍ୟୁତ ଶକ୍ତି ନିୟନ୍ତ୍ରଣ କର୍ତ୍ତୃପକ୍ଷ ବିଦ୍ୟୁତ୍ର ୟୁନିଟ୍ ପିଛା ମୂଲ୍ୟ ୭ ଟଙ୍କା ୯୧ ପଇସା ବୃଦ୍ଧି କରିବା ପରେ ଏହି ଘୋଷଣା କରାଯାଇଥିଲା ।
ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇବା ପରେ ୟୁନିଟ୍ ପିଛା ମୂଲ୍ୟ ୧୬ ଟଙ୍କା ୯୧ ପଇସାରୁ ୨୪ ଟଙ୍କା ୮୨ ପଇସାରେ ପହଞ୍ଚିଛି । ଅପରପକ୍ଷରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ପାଇବାରୁ ପାକିସ୍ତାନ ବିରୋଧୀ ଦଳମାନେ ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି।



