ମୁମ୍ବଇ : ମୁମ୍ବଇରେ ସୋମବାର ଜଣେ କଂଗ୍ରେସ କର୍ମୀଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ଏକ ଫେସ୍ବୁକ୍ ପୋଷ୍ଟ ପାଇଁ କଂଗ୍ରେସ କର୍ମୀ ଜଣଙ୍କୁ ବିଜେପି ଗୁଣ୍ଡାମାନେ ହତ୍ୟା କରିଥିବା ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାମ ମନୋଜ ଦୁବେ ଓ ବୟସ ୪୫ ବର୍ଷ ବୋଲି ଚିହ୍ନଟ କରାଯାଇଛି।
ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ରାତି ପ୍ରାୟ ସାଢେ ୧ଟା ବେଳେ ୨ରୁ ୩ ଜଣ ଦୁର୍ବୃତ୍ତ ମନୋଜ ଦୁବେଙ୍କୁ ଛୁରି ଭୁଷି ରାସ୍ତା କଡ଼ରେ ପକାଇ ଦେଇଥିଲେ। ପୁଲିସ୍ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଏହି ଘଟଣାରେ ସୂରଜ ସିଂହ ନାମକ ଜଣେ ବିଜେପି କର୍ମୀଙ୍କୁ ଖୋଜୁଛି।
ମହାରାଷ୍ଟ୍ର କଂଗ୍ରେସର ଅଭିଯୋଗ ଅନୁସାରେ ମନୋଜ ନିଜ ଫେସ୍ବୁକ୍ରେ ଏକ ରାଜନୈତିକ ଲେଖା ପୋଷ୍ଟ କରିଥିଲେ। ଏହାକୁ ନେଇ ତାଙ୍କୁ ବିଜେପି ଗୁଣ୍ଡାମାନେ ହତ୍ୟା କରିଛନ୍ତି। ତେବେ ହତ୍ୟାର ସଠିକ କାରଣ ଜଣାପଡିନାହିଁ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମନୋଜ ଏବଂ ଅଭିଯୁକ୍ତଙ୍କ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ଓ ପରେ ହାତାହାତି ହୋଇଥିଲା। ଗଣ୍ଡଗୋଳ ବେଳେ ଅଭିଯୁକ୍ତମାନେ ମନୋଜଙ୍କ ପେଟ ଓ ଛାତିକୁ ଛୁରିରେ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ଫେସ୍ବୁକ୍ ପୋଷ୍ଟ ପାଇଁ କଂଗ୍ରେସ କର୍ମୀଙ୍କୁ ହତ୍ୟା
Popular Categories



