ଚିଲିକା ଉପରେ ପ୍ରସ୍ତାବିତ ଉପକୂଳ ରାଜପଥକୁ ବିରୋଧ

ଭୁବନେଶ୍ବର :  ଭାରତ ସରକାରଙ୍କ ସାଗର ମାଳା ପ୍ରକଳ୍ପ ଅଧୀନରେ ଚିଲିକା ହ୍ରଦ ଉପରେ ପ୍ରସ୍ତାବିତ ୩.୪ କିମି ପୋଲ ନିର୍ମାଣକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି। ଏହି ପୋଲ ନିର୍ମାଣ ହେଲେ ଚିଲିକାର ପ୍ରାକୃତିକ ପରିବେଷ ଓ ଜୈବ ବିବିଧତା ନଷ୍ଟ ହେବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା କ୍ଷେତ୍ରରେ ଗଭୀର ପ୍ରଭାବ ପଡ଼ିବ ବୋଲି ଆଜି ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ୱାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପରିବେଶ ସମିତି, ମହାନଦୀ ବଞ୍ଚାଅ ଆନ୍ଦୋଳନ, ଚିଲିକା ବଞ୍ଚାଅ ଅଭିଯାନ, ଦୟା ସୁରକ୍ଷା ଅଭିଯାନର ନେତୃତ୍ୱ ତଥା ବୁଦ୍ଧିଜୀବୀମାନେ ଚେତାବନୀ ଦେବା ସହିତ ସରକାରଙ୍କ ପାଖରେ ବିକଳ୍ପ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ସରକାର ଯଦି ପ୍ରସ୍ତାବିତ ପୋଲ ନିର୍ମାଣ କାର୍ଯ୍ୟରୁ କ୍ଷାନ୍ତ ନ ହୁଅନ୍ତି ତେବେ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ଚେତାବନୀ ଦେଇଛନ୍ତି ।

ପ୍ରସ୍ତାବିତ ପୋଲ ଚିଲିକା ପ୍ରତି ବିପଦ ସୃଷ୍ଟି କରିବ । ପୋଲ ନିର୍ମାଣ ବେଳେ ଏଥିପାଇଁ ବ୍ୟବହୃତ ନିର୍ମାଣ ସାମଗ୍ରୀ ଚିଲିକାକୁ ପ୍ରଦୂଷିତ କରିବ । ପୋଲ ନିର୍ମାଣ ପରେ ହଜାର ହଜାର ଯାନବାହାନ ଚଳା ପ୍ରଚଳ ଚିଲିକାର ପରିବେଶ ଉପରେ କୁପ୍ରଭାବ ପକାଇବ । ମାଛ, ଡଲଫିନ ଇତ୍ୟାଦିର ଚଳ ପ୍ରଚଳ ବାଧାପ୍ରାପ୍ତ ହେବ । ଚିଲିକା କ୍ରମଶଃ ପଟୁରେ ଭର୍ତ୍ତି ହେବାରେ ଲାଗିଛି । ପୋଲର ଖମ୍ବ ଗୁଡ଼ିକ ଜଳ ସ୍ରୋତକୁ ବାଧା ଦେବ ଫଳରେ ପଟୁ ଅଧିକ ଜମିବ । ତେଣୁ ପ୍ରସ୍ତାବିତ ପୋଲ ଚିଲିକା ଉପରେ ନିର୍ମାଣ କରିବା ଅର୍ଥ ହେଉଛି ଚିଲିକାର ମୃତ୍ୟୁ ଘଣ୍ଟି ବଜାଇବା ସଦୃଶ୍ୟ ବୋଲି କୁହାଯିବା ସହ ଏହାକୁ ବିରୋଧ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପରିବେଷ ସଚିବ ଅରବିନ୍ଦ ବେହେରା , ପରିବେଷବିତ ଜୟକୃଷ୍ଣ ପାଣିଗ୍ରାହୀ, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରାୟ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ,ଦୟା ସୁରକ୍ଷା ଅଭିଯାନ ଆବାହକ ସଚିକାନ୍ତ ପ୍ରଧାନ,ଗଙ୍ଗୁଆ ସୁରକ୍ଷା ଅଭିଯାନର ପ୍ରଦୀପ ତରାଇ,ମନୋରଞ୍ଜନ ମିଶ୍ର,ପ୍ରସନ୍ନ ମହାପାତ୍ର ,ଅଶୋକ ପାଇକରାୟ ,ସସ୍ମିତା ଜେନା ଆଦି ଉପସ୍ଥିତ ଥିଲେ ।

Comments are closed.