ଚୌଦ୍ୱାର: ମଙ୍ଗରାଜପୁର ପଂଚାୟତ ମଙ୍ଗରାଜପୁର ଗ୍ରାମରେ ନେକ୍ଟାର ଟ୍ରଷ୍ଟ ତରଫରୁ ଏକ ବୃଦ୍ଧାଶ୍ରମର ଶିଳାନ୍ୟାସ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଡ.ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସ୍ତାବିତ ଆଶ୍ରମର ଶିଳାନ୍ୟାସ କରିଥିଲେ। ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ତହସିଲଦାର ଅଜୟ ମଲ୍ଲିକ, ବିଡିଓ ଆଶୁତୋଷ ମିଶ୍ର, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ରନାଥ ପାଣ୍ଡବଙ୍କ ସମେତ ସ୍ଥାନୀୟ ଜିଲ୍ଲା ପରିଷଦ, ସରପଂଚ, ସମିତିସଭ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ପ୍ରତି ସମାଜରେ ବୃଦ୍ଧ ପିତାମାତାଙ୍କର ବିଭିନ୍ନ ପାରିବାରିକ ସମସ୍ୟା ଓ ସେମାନଙ୍କ ଅସହାୟତାକୁ ଦୃଷ୍ଟିରେ ରଖି ବୃଦ୍ଧାଶ୍ରମଟି ନିର୍ମାଣର ପରିକଳ୍ପନା କରାଯାଇଛି ବୋଲି ଡ. ପଣ୍ଡା ସୂଚନା ଦେଇଥିଲେ। କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିଶ୍ରୁତି ଦେଇଥିଲେ। ଗୋଲକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



