ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ନାମ ଲେଖା କେବେ ?

ବାଲେଶ୍ବର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓଏସଓୟୁ)ରେ ଚଳିତ ଶିକ୍ଷା ବର୍ଷରେ ନାମଲେଖା ବନ୍ଦ ଥିବାରୁ ଛାତ୍ରଛାତ୍ରୀ ଓ ଅଭାଭାବକଙ୍କ ମହଲରେ ବିଶ୍ବବିଦ୍ୟାଳୟର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। କେବଳ ବାଲେଶ୍ବର ଜିଲା ନୁହେଁ, ସମଗ୍ର ରାଜ୍ୟରେ ୩୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟରେ ଅଭିଭାବକ ମଧ୍ୟରେ ଏଥିନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ରାଜ୍ୟର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟ ଓ ପାଠ୍ୟକେନ୍ଦ୍ର (ଷ୍ଟଡି ସେଣ୍ଟର) ଗୁଡିକରେ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି। ମାତ୍ର ଏବେ ବିଭିନ୍ନ ଜିଲାର ଆଶାୟୀ ଛାତ୍ରଛାତ୍ରୀ ଆଞ୍ଚଳିକ କାର୍ଯ୍ୟାଳୟ ଓ ସ୍ଥାନୀୟ ଶିକ୍ଷାଦାନ କେନ୍ଦ୍ରକୁ ଦୌଡ଼ି ନୟାନ୍ତ ହେଉଥିଲେ ବି କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ପାଉନାହାନ୍ତି।

ବିଭିନ୍ନ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ କିମ୍ବା ମାଟ୍ରିକ ଓ ଯୁକ୍ତଦୁଇ ଉତ୍ତୀର୍ଣ୍ଣ ପରେ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଦୂର ନିରନ୍ତର ଶିକ୍ଷା ଯୋଗାଇ ଦେବାକୁ ଓଡ଼ିଶା ବିଧାନସଭା ଆଇନକୁ ଭିତ୍ତି କରି ରାଜ୍ୟ ସରକାର ୨୦୧୫ ମସିହାରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସମ୍ବଲପୁରରେ ଏହା ପ୍ରତିଷ୍ଠା କରାଯାଇଥିଲେ ବି ରାଜଧାନୀ ଭୁବନେଶ୍ବର ଓ ରାଜ୍ୟର ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟର ୬୭ ଗୋଟି କେନ୍ଦ୍ର ଖୋଲି ଛାତ୍ରଛାତ୍ରୀଙ୍କ ନାମଲେଖା ସହ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଇଚ୍ଛା ଥାଇ ବି ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏହା ସୁଯୋଗ ସୃଷ୍ଟି କରିଥିଲା। ନାମଲେଖା ଠାରୁ ପରୀକ୍ଷା ଫିଦ ପର୍ଯ୍ୟନ୍ତ, ସ୍ବଳ୍ପଖର୍ଚ୍ଚ ସାଙ୍ଗକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମୟାନୁସାରେ ପାଠ୍ୟପୁସ୍ତକ ଯୋଗାଣ ଓ ଧାର୍ଯ୍ୟ ସଂଖ୍ୟକ କ୍ଲାସରେ ପାଠପଢ଼ା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭରୁ ବେଶ ସଫଳତା ମିଳିଥିଲା। ପରେ ପ୍ରତିବର୍ଷ ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ଧୀରେ ଧୀରେ ଶିକ୍ଷାଦାନ କେନ୍ଦ୍ର ମଧ୍ୟ ବୃଦ୍ଧି କରାଗଲା। ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ସମଗ୍ର ରାଜ୍ୟରେ ୯୮ଟି କେନ୍ଦ୍ର ପ୍ରତିଷ୍ଠା ହୋଇଛି। ସ୍ନାତକ, ସ୍ନାତକୋତ୍ତର ଓ ମ୍ୟାନଜମେଣ୍ଟ ଆଦି ୩୫ରୁ ଊର୍ଦ୍ଧ୍ବ ବିଷୟରେ ପ୍ରତିବର୍ଷ ୩୦ ହଜାରୁ ଅଧିକ ଛାତ୍ରଛାତ୍ରୀ ଏହି ବିଶ୍ବବିଦ୍ୟାଳୟ ଅଧୀନ ଷ୍ଟଡି ସେଣ୍ଟର ଗୁଡିକରେ ପରୀକ୍ଷା ଦେଇ ସଫଳତା ପାଉଥିଲେ।

prayash

ଏହି କ୍ରମରେ ବାଲେଶ୍ବର‌େ‌ର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ଥାପନ ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଆଞ୍ଚଳିକ କେନ୍ଦ୍ର ଅଧୀନରେ ୬ଟି ଷ୍ଟଡି ସେଣ୍ଟର ପରିଚାଳିତ ହେଉଥିଲା। ଫକୀର ମୋହନ କଲେଜ ସମେତ ଜିଲା କାରାଗାର, ଜଳେଶ୍ବର ମହିଳା ମହାବିଦ୍ୟାଳୟ, ଭୋଗରାଇ ରୁରାଲ ଇନଷ୍ଟିଚ୍ୟୁସନ ଅଫ ହାୟର ଏଜୁକେସନ, ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ଓ ଖଇରା କଲେଜରେ ପ୍ରତିଷ୍ଠା ହୋଇଥିବା ଷ୍ଟଡି ସେଣ୍ଟରରେ ପ୍ରତିବର୍ଷ ଦେଢ଼ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବା ସାଙ୍ଗକୁ ପରୀକ୍ଷା ମଧ୍ୟ ଦେଉଥିଲେ। ତନ୍ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ମଧ୍ୟ ହେଉଥିଲେ। ଆଗାମୀ ଦିନରେ ନୂଆ ନୂଆ ପାଠ୍ୟ ବିଷୟ ଖୋଲାଯିବା ନେଇ ‘ଓଏସଓୟୁଦ ଆଞ୍ଚଳିକ କେନ୍ଦ୍ର ପରିଚାଳନା ମୁଖ୍ୟ ସୂଚନା ଦେଇଥିଲେ। ସବୁକିଛି ଠିକଠାକ ଚାଲିଥିବା ବେଳେ ଚଳିତ ବର୍ଷ ନାମ ଲେଖା ବନ୍ଦ ଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ନାମଲେଖା କେବେ ହେବ ଜାଣିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଗତ ଜୁନ ମାସରୁ ଅଦ୍ୟାବଧି ବିଭିନ୍ନ ଷ୍ଟଡି ସେଣ୍ଟରକୁ ପ୍ରତିଦିନ ଦୌଡ଼ୁଛନ୍ତି। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳୁନାହିଁ। ସମଗ୍ର ରାଜ୍ୟରେ ଏହି ସ୍ଥିତି ଉପୁଜିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଷ୍ଟଡି ସେଣ୍ଟରରେ ଉନ୍ନତ ଭିତ୍ତିଭୂମି ଅଭାବ, ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦିଆ ନଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୁକ୍ତ(ୟୁଜିସି) ପ୍ରଶ୍ନ ଉଠାଇଥିଲେ। ଭିତ୍ତିଭୂମି ବିକାଶ ସାଙ୍ଗକୁ ଖାଲି ପଡ଼ିଥିବା ଶିକ୍ଷକ କର୍ମଚାରୀ ପଦ ପୂରଣ ପାଇଁ ବି ୟୁଜିସି ପରାମର୍ଶ ଦେଇଥିଲେ। ତେବେ ଓପିଏସସି ଜରିଆରେ ନିଯୁକ୍ତି ପ୍ରକ୍ରିୟା ଆୟୋଜନ ନିଷ୍ପତ୍ତିକୁ ବିରୋଧ ଓ ଏହି ବିବାଦ କୋର୍ଟ ପର୍ଯ୍ୟନ୍ତ ଯିବା ଯୋଗୁଁ ନାମଲେଖା ବନ୍ଦଥିବା ଜଣାଯାଇଛି। ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରି ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ତେବେ ଏ ସମ୍ପର୍କରେ ‘ଓଏସଓୟୁଦର ବାଲେଶ୍ବର ଆଞ୍ଚଳିକ କେନ୍ଦ୍ରର ସଂଯୋଜକ ଭବେଶ ମହାନ୍ତିଙ୍କୁ ଯୋଗଯୋଗ କରିବାରୁ ନାମଲେଖା ନେଇ କୌଣସି ସ୍ପଷ୍ଟ ସମୟ ବାବଦରେ କହିନଥିଲେ ବି ଆସନ୍ତା ଜାନୁୟାରୀରୁ ନାମଲେଖା ହୋଇପାରେ ବୋଲି କହିଛନ୍ତି।

Comments are closed.