ଭୁବନେଶ୍ବର: ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍ର ସ୍ୱତନ୍ତ୍ର ଡ୍ରାଇଭ୍ର ନବମଦିନରେ ସମୁଦାୟ ୮୬୩୪ ବ୍ୟକ୍ତିଙ୍କଠାରୁ ୨୭ ଲକ୍ଷ୧୭ ହଜାର ୦୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି୯ ଦିନ ମଧ୍ୟରେ ମୋଟ ୯୨,୦୨୫ ବ୍ୟକ୍ତିଙ୍କଠାରୁ ୨ କୋଟି ୭୦ଲକ୍ଷ ୮୧ହଜାର ୯୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ନବମ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୭୭୩ଜଣ ବ୍ୟକ୍ତିଙ୍କଠାରୁ ୧,୫୨,୦୦୦ ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୭,୮୬୧ ବ୍ୟକ୍ତିଙ୍କଠାରୁ ୨୫,୬୫,୦୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।



