ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆଠାରେ ମତ୍ସ୍ୟ ନିର୍ଦ୍ଦେଶାଳୟ ସହଯୋଗରେ ସିଫା ଓ ଜିଲ୍ଲା ମତ୍ସ୍ୟ ନିର୍ଦେଶାଳୟ କେନ୍ଦୁଝର ଏବଂ ପ୍ରଦାନ ସଂଗଠନ ସହଯୋଗରେ ଆଜି ପଞ୍ଚାୟତ ଅଞ୍ଚଳର ୭୦ ଜଣ ଆଦିବାସୀ ମତ୍ସ୍ୟଚାଷୀ ଓ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ନେଇ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ତାଲିମ ଦିଆଯାଇଛି। ଉନ୍ନତ କିସମର ମାଛ ଜାଆଁଳ ମାଛ ଚାଷ ଉପରେ ଶିବିରାର୍ଥୀ ମାନଙ୍କୁ ସବିଶେଷ ତାଲିମ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବବ୍ରତ ସାମଲ , ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସ୍ମୃତି ରଞ୍ଜନ ଦଳେଇ,ସିଫାରୁ ବୈଜ୍ଞାନିକ ଡଃ ପ୍ରେମ କୁମାର ମେହେର, ଡଃ କୃଷ୍ଣଚନ୍ଦ୍ର ଦାଶ ଏବଂ ବୈଷୟିକ ପ୍ରମୁଖ ଅରୁଣ କୁମାର ପ୍ରମୁଖ ମତ୍ସ୍ୟ ଚାଷୀଙ୍କୁ ସବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଆସନ୍ତାକାଲି ଏଠାରେ ସମସ୍ତ ମତ୍ସ୍ୟ ଚାଷୀ ମାନଙ୍କୁ ଏକର ପ୍ରତି ୫ ହଜାର ଲେଖାଏଁ ମାଛ ଜାଆଁଳ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ପ୍ରଦାନ ସଂଗଠନର ଦୋଳଗୋବିନ୍ଦ ପଣ୍ଡା,ଗଣେଶ ବେହେରା, କାର୍ତ୍ତିକ ଦାସ, ଅମିତ ମିଶ୍ର ଓ ଚନ୍ଦ୍ରକାନ୍ତ ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ସମ୍ମାନୀତ ଅତିଥି ଭାବେ ଡୁମୁରିଆ ସରପଞ୍ଚ ଗୌରହରି ନାଏକ ଓ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ ପ୍ରମୁଖ ଯୋଗ କିଛି ଚାଷୀଙ୍କୁ ମାଛ ଜାଆଁଳ ବଣ୍ଟନ କରିଥିଲେ ।



