ଭୁବନେଶ୍ବର : ରାଜଧାନୀରେ ବଢ଼ୁଥିବା ସୁନାଚୋରି ଓ ଛିନ୍ତାଇ ପଛରେ ସୁନା ଋଣ ଯୋଗାଣକାରୀ ସଂସ୍ଥା ଓ ସୁନା ଦୋକାନୀଙ୍କ ସମ୍ପୃକ୍ତି ଆସୁଛି। ସେମାନେ ପ୍ରଚ୍ଛଦପଟରେ ରହି ଲୁଟିଆଙ୍କୁ ସହାୟତା କରୁଥିବା ତଦନ୍ତରୁ ଜଣାପଡ଼ିଛି। ସହରରୁ ଯେତିକି ବି ସୁନା ଲୁଟ୍ ଘଟଣା ଘଟୁଛି, ଏହାର ଏକ ତୃତୀୟାଂଶ ମାମଲାରେ ଚୋରି ସୁନାକୁ ବ୍ୟାଙ୍କରେ ବନ୍ଧକ କିମ୍ବା ସୁନା ଦୋକାନରେ ବିକ୍ରି କରି ଦେଉଛନ୍ତି ଅପରାଧୀ। ଲୁଟ୍ ସୁନାଗହଣାକୁ ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକରେ ଲୁଟିଆ ଜମା କରୁଛନ୍ତି। ବିନା କାଗଜପତ୍ର ଯାଞ୍ଚ କିମ୍ବା ଜାଲ୍ ରସିଦ୍ରେ ସୁନାକୁ ବନ୍ଧକ ରଖି ଲକ୍ଷ ଲକ୍ଷ ଟଙ୍କା ଋଣ ମିଳି ଯାଉଛି। ସୁନା ଜମା ବାବଦରେ ଟଙ୍କା ଆଣି ନିଶା, ଜୁଆ ଓ ଯୁବତୀଙ୍କ ପିଛା ଟଙ୍କା ଉଡ଼ାଇ ଆତ୍ମସାତ୍ କରୁଛନ୍ତି। ଦୀର୍ଘ ଦିନ ବନ୍ଧକ ରହିବା ପରେ ସୁନାକୁ ବ୍ୟାଙ୍କରୁ ନ ମୁକୁଳାଇବାରୁ ବ୍ୟାଙ୍କ ପକ୍ଷରୁ ସୁନାକୁ ନିଲାମ କରି ଦିଆଯାଉଛି।
ନିକଟରେ ଧରାପଡ଼ିଥିବା ମହାଠକ ରମେଶ ମାଝୀ ସୁନାକୁ ଠକେଇ କରି ବ୍ୟାଙ୍କରେ ବନ୍ଧକ ରଖୁଥିଲା। ବ୍ୟାଙ୍କରେ ସୁନା ଜମା କରି ଋଣ ଆଣୁଥିଲା। ସୁନା ଠକେଇ କରି ସୁନା ବନ୍ଧକ ରଖିଥିବାବେଳେ ବ୍ୟାଙ୍କରୁ ଋଣ ନେଇ ଦାମୀ ଗାଡ଼ି ସହ ବିଦେଶ ଭ୍ରମଣ କରୁଥିଲା। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କ ସମେତ ୩ କର୍ମଚାରୀ ପୁଲିସର ନଜରରେ ରହିଛନ୍ତି। ଅନୁରୂପ ଭାବେ ଆୟକର ଅଧିକାରୀଙ୍କ ଘରୁ ୨୩୦ ଗ୍ରାମର ସୁନାଗହଣା ଲୁଟ୍ କରିଥିବା ଆନ୍ତଃରାଜ୍ୟ ୨ ଲୁଟିଆ ଖୁର୍ସିଦ ଖାନ୍ ଓ ମହମ୍ମଦ ଆରିଫ ସୁନାକୁ କଟକ ଓ ଦିଲ୍ଲୀର ସୁନା ଦୋକାନୀଙ୍କୁ ବିକ୍ରି କରି ଦେଇଥିଲେ। ଗତ ସପ୍ତାହରେ ପିଉସୀର ହାତଗୋଡ଼ ବାନ୍ଧି ସୁନାଗହଣା ଲୁଟିନେଇଥିଲା ପୁତୁରା ଅନନ୍ତ ପଣ୍ଡା। ଉକ୍ତ ସୁନାକୁ ନେଇ ବଣିଆ ଚନ୍ଦ୍ରକାନ୍ତ ସାହୁକୁ ବିକ୍ରି କରି ଦେଇଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ଘଟଣାରେ ପୁତୁରା ସହ ଅଭିଯୁକ୍ତ ବଣିଆ ଚନ୍ଦ୍ରକାନ୍ତଙ୍କୁ କାବୁ କରିବା ସହ ସୁନାଅଳଙ୍କାର ଜବତ କରିଥିଲା। କିଛି ମାସ ତଳେ କିନ୍ନର ଶୁଭଶ୍ରୀ ପାଣି ଓରଫ କାଜଲ ସୁନାଚେନ୍କୁ ଛିନ୍ତାଇ କରିବା ପରେ ଏକ ବ୍ୟାଙ୍କରେ ସୁନାକୁ ବନ୍ଧକ ରଖିଥିଲା। ବ୍ୟାଙ୍କରୁ ଟଙ୍କା ନେଇ ଝାଡ଼ଖଣ୍ଡ ପଳାଇ ସେଠାରେ ଲୁଚି ଯାଇଥିଲା। କମିସନରେଟ ପୁଲିସ ସହରାଞ୍ଚଳରେ ସୁନାକୁ ବିକ୍ରି କରୁଥିବାର ଲମ୍ବା ତାଲିକା ପୁଲିସ ହାତରେ ଲାଗିଛି।
ଚୋରି ସୁନା ବଣିଆ ଓ ସୁନା ଦୋକାନୀ କିଣୁଛନ୍ତି। କମ୍ ମୂଲ୍ୟରେ ସୁନା କିଣି ଦୋକାନୀ ବି ଲାଭାର୍ଥୀ ହେଉଛନ୍ତି। ଚୋରି ସୁନା କିଣିବାକୁ ବଣିଆ କିମ୍ବା ସୁନା ଦୋକାନୀଙ୍କ ଅଧିକ ଭୂମିକା ରହିଥିବାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଶେଷକରି ଚୋରି ସୁନାକୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ବ୍ରହ୍ମପୁରରେ ଥିବା ସୁନା ଦୋକାନରେ ବିକ୍ରି କରାଯାଉଛି। ଗତ କିଛି ବର୍ଷରେ ଚୋରି ସୁନା କିଣୁଥିବା ୨୨ରୁ ଅଧିକ ବଣିଆ ଆଇନ ଜାଲରେ ଫସିଛନ୍ତି। ଚୋରି ସୁନା କିଣିଥିବା ବାପ ରାମମୂର୍ତ୍ତି ତାଙ୍କ ପୁଅ ଆଦିତ୍ୟ ଏବଂ ସୁବ୍ରତ, ଟି.ବାବୁରାଓ, ପଦ୍ମଲୋଚନ ରଣା, ପୁଷ୍ପାରଞ୍ଜନ ସାହୁ ପ୍ରମୁଖ ଗିରଫ ହୋଇଛନ୍ତି।
ରାଜଧାନୀର ସମସ୍ତ ଋଣପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପେସାଦାର ଲୁଟିଆଙ୍କ ତାଲିକା ଦିଆଯିବ। ସଂସ୍ଥାର ମୁଖ୍ୟ ତାଲିକା ନେଇ ନିଜ ପାଖରେ ରଖିବେ। ସୁନା ବନ୍ଧକ ରଖୁଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରାଯିବ। ଲୁଟିଆଙ୍କ ତାଲିକାରେ ଥିବା କୌଣସି ବ୍ୟକ୍ତି ସୁନାବନ୍ଧକ ରଖିବା ପାଇଁ ସଂସ୍ଥାକୁ ଯାଆନ୍ତି, ଉକ୍ତ ସଂସ୍ଥାଗୁଡ଼ିକ ସ୍ଥାନୀୟ ପୁଲିସକୁ ଅବଗତ କରିବେ। କୌଣସି ପରିସ୍ଥିତିରେ ଅପରାଧୀଙ୍କଠାରୁ ସୁନା ନେଇ ଋଣ ଦେଇଥିବା ପ୍ରମାଣ ମିଳିଲେ, ସମ୍ପୃକ୍ତ ଋଣପ୍ରଦାନକାରୀ ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯିବ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଋଣପ୍ରଦାନକାରୀ ସଂସ୍ଥାକୁ ମଧ୍ୟ ନୋଟିସ୍ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।



