ବେଗୁନିଆ : ବଜାରରେ ଦୁଇ ଗାଁର ନାମ ଫଳକ ମାରିବାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଉଗ୍ର ରୂପ ନେଇଛି। ଦୁଇ ଗ୍ରମାବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଗଣ୍ଡଗୋଳରେ ଜଣେ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲା ବାଘମାରୀ ଥାନା ପୋଡ଼ାଡିହ ପଞ୍ଚାୟତ ଓସ୍ତପୁର ଏବଂ କୋଟପଲ୍ଲା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ଉକ୍ତ ଘଟଣାକୁ ନେଇ ବୁଧବାର ପୁନର୍ବାର ବିବାଦ ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
ସୂଚନାନୁସାରେ, ଖୋର୍ଦ୍ଧା ଜିଲା ବାଘମାରୀ ଥାନା ପୋଡାଡିହ ପଞ୍ଚାୟତ ଓସ୍ତପୁର ଏବଂ କୋଟପଲ୍ଲା ଗ୍ରାମ ଭିତରେ ଏହି ବିବାଦ ଦେଖାଦେଇଛି। କୋଟପଲ୍ଲା ଗ୍ରାମବାସୀଙ୍କ କହିବା କଥା, ଦେଶ ସ୍ୱାଧୀନ ପରେ ଡାକ ବ୍ୟବସ୍ଥା ପ୍ରଚଳନ ଏବଂ ଏହାକୁ ନେଇ ବଜାରର ନାମକରଣ ବେଳେ କୋଟପଲ୍ଲା ବଜାର ନାମରେ ନାମିତ ହୋଇଥିଲା। ଏଥିସହ ବସ ପରମିଟରେ ମଧ୍ୟ କୋଟପଲ୍ଲା ନାମ ରହିଛି। ଏହି କୋଟପଲ୍ଲା ବଜାର ନାମକରଣ କେଉଁ ଆବହମାନ କାଳରୁ ରହି ଆସିଛି। କେତେକ ଅସାମାଜିକ ବ୍ୟକ୍ତି ଓସ୍ତପୁର ଗ୍ରାମବାସୀଙ୍କୁ ବିଭ୍ରାନ୍ତ କରି ଓସ୍ତପୁର ନାମରେ ବଜାରକୁ ନାମକରଣ କରିବାକୁ ପ୍ରବର୍ତ୍ତାଉଛନ୍ତି। ଫଳରେ ଦୁଇ ଗାଁ ମଧ୍ୟରେ ଅଶାନ୍ତି ଲାଗି ରହିଛି। ଅନ୍ୟପଟେ ଓସ୍ତପୁର ଗ୍ରାମବାସୀଙ୍କ କହିବା କଥା, ବଜାର ଯେଉଁଠି ଗଢ଼ିଉଠିଛି ଏବଂ ପୂର୍ତ୍ତ ରାସ୍ତା ଯାଇଛି ତାହା ସମ୍ପୂର୍ଣ୍ଣ ଭାବେ ଓସ୍ତପୁର ମୌଜାରେ ରହିଛି। କୋଟପଲ୍ଲାର କିଛି ବ୍ୟକ୍ତି ସବୁବେଳେ ଆମ ବଜାର କହି ଗାଳିମନ୍ଦ ଏବଂ ମାରପିଟ କରୁଛନ୍ତି। ଓସ୍ତପୁର ମୌଜାରେ ବଜାର ହୋଇଥିବାରୁ ଓସ୍ତପୁର ଗାଁ ନାମରେ ବଜାର ନାଁ ନାମିତ କରାଯାଉ। କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।
ଏଥିସହ ଗ୍ରାମର ବଜାରରେ ଓସ୍ତପୁର ନାମଫଳକ ରଖିବା ପାଇଁ ଦାବି କରିବା ସହ ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲ୍ଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ। ଜିଲା ପ୍ରଶାସନର ନିର୍ଦେଶକ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମ କୋଟପଲ୍ଲା ଓ ଓସ୍ତପୁର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାର ତାପସ ବିଶିଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ ହେଉଥିବା ବେଳେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିବା ଯୋଗୁଁ କୋଟପଲ୍ଲା ଗ୍ରାମର ଜଣେ ଯୁବକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଓ ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକ ଏକ ପ୍ଲାଟୁନ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଉଭୟ ଗ୍ରାମ ପାଇଁ ଆସିଥିବା ନାମ ଫଳକ ପୋତା କାର୍ଯ୍ୟ ସ୍ଥଗିତ ରଖାଯାଇଛି। ପରିସ୍ଥିତିକୁ ଦେଖି ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଦେଇଥିଲେ।



