ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନ Constituent College CIMEର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ଅମୀୟ କୁମାର ରଥ ଓ ସମ୍ମାନିତ ଅତିଥି ରୂପେ କାନାରା ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଏ.ଜି.ଏମ. ଶ୍ରୀମତୀ ରୀତା ଦାଶ, ଡଃ ଆର୍ଯ୍ୟ ପଟ୍ଟନାୟକ, ରାଉରକେଲା ବିପିୟୁଟି ପରିଚାଳନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ଇଂ ପ୍ରତାପରୁଦ୍ର ପଟ୍ଟନାୟକ, ପ୍ରଫେସର ଅଜିତ କୁମାର ଦାସ ଓ ପ୍ରଫେସର ଡଃ ଶକ୍ତି ରଞ୍ଜନ ମହାପାତ୍ର ବିଶେଷ ଅତିଥି ରୂପେ ଯୋଗଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଦୀପକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ବିକାଶ ଯୋଜନା ଓ ଛାତ୍ରଛାତ୍ରୀ ନିଯୁକ୍ତି ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଉକ୍ତ ପୁସ୍ତିକା ଦ୍ବୟ ଆଗାମୀ ୫ ବର୍ଷରେ କିପରି ଭିତ୍ତିଭୂମି ସୁଦୃଢ କରିବ ସେନେଇ ଆଲୋଚନା ହୋଇଥିଲା । ଏହା ସହ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଏବଂ କିଛି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ପୁସ୍ତିକାକୁ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା ତଥା ଉପସ୍ଥିତ ଶିକ୍ଷାବିତ ପ୍ରଂଶସା କରିଥିଲେ ।

ମୁଖ୍ୟ ଅତିଥି ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ଡ଼ଃ ଅମୀୟ କୁମାର ରଥ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ନସିପ ଓ ନିଯୁକ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସାଇମକୁ ସାଧୁବାଦ ଜଣାଇଥିଲେ । ଉକ୍ତ ସମାରୋହରେ କୁଳପତି ପ୍ରଫେସର ରଥ, ଓଡ଼ିଶା କ୍ୟାପିଟାଲ ମାର୍କେଟର ପରିଚାଳନା ନିର୍ଦ୍ଦେଶକ ଓଥାମାସ ମାଥୁ ଓ କାନାଡ଼ା ବ୍ୟାଙ୍କର ବରିଷ୍ଟ ପରିଚାଳକ ଶ୍ରୀଯୁକ୍ତ ପ୍ରିତିଶ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବ ସମାରୋହରେ ପୂର୍ବତନ ଅଧ୍ଯକ୍ଷମାନେ ନିଜ ଭାଷଣରେ ଅନୁଷ୍ଠାନର ୨୫ତମ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଏମ୍.ବି.ଏ. ବିଭାଗର ମୁଖ୍ୟ ଡଃ ଦେବାଶିଷ ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ପ୍ରଫେସର ଡଃ ରାଜଲକ୍ଷ୍ମୀ ମିଶ୍ର ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରଫେସର ଡଃ ବିଦ୍ୟା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




